ସମୟର ଚକ୍ର
ସମୟର ଚକ୍ର
ସମୟର ଚକ ଗଡି ଚାଲିଯାଏ
ଅବିଶ୍ରାନ୍ତେ ଜିନରାତି
ସମୟ ସୂଚକ ଘଣ୍ଟାର କଣ୍ଟାର
ଟିକ୍ ଟିକ୍ ଶବ୍ଦେ ଗତି ||
ପୂରୁବ ଆକାଶେ ସିନ୍ଦୂରା ଫାଟିବା
ପରେ ଚକ୍ରବାଳ ଡେଇଁ
ହସି ହସି ଉଇଁ ଆସନ୍ତି ଭାସ୍କର
ନୂତନ ପ୍ରଭାତ ନେଇ ||
ନିଦେ ଶୋଇଥିବା ସକଳ ସୃଷ୍ଟିର
ନିଦ୍ରାର ହୁଅଇ ଶେଷ
କର୍ମ ଚଞ୍ଚଳତା ସକଳ ପ୍ରାଣରେ
ନବ ଆଶାର ଉନ୍ମେଶ ||
ନୀଡ ଛାଡି ପକ୍ଷୀ ଦୂରେ ଯାଏ ଉଡି
ଖାଦ୍ୟ ସନ୍ଧାନର ପାଇଁ
କିଚିରି ମିଚିରି କାକଳି ସହିତ
ମୁକ୍ତାକାଶେ ବିଚରଇ ||
ନିତ୍ୟକର୍ମମାନ କରିଣ ସମ୍ପନ୍ନ
କାର୍ଯ୍ଯାଳୟେ ଚଳେ ନର
ଜାଗିଉଠେ ପୁଣି ସମଗ୍ର ଜଗତ
ହୁଅଇ କର୍ମ ତତ୍ପର ||
ଆକାଶ ପଥରେ ସୂରୁଯ ଚଳଇ
ପୂରୁବରୁ ପଶ୍ଚିମକୁ
ଘଣ୍ଟାର ଦେହରେ ଘଣ୍ଟା କଣ୍ଟା କ୍ରମେ
ଗତି କରଇ ତଳକୁ ||
କାର୍ଯ୍ଯାଳୟ ଛାଡି ଯିବାର ସମୟ
ଉପଗତ ଜାଣି ସର୍ବେ
ଘରକୁ ଫେରନ୍ତି ମହା ଆନନ୍ଦରେ
ପ୍ରୀୟ ଜନ ଖୁସି ହେବେ ||
ପଶ୍ଚିମ ଆକାଶେ ଅସ୍ତରାଗ ମଣି
ବୁଣିଦେଇ ବୁଡେ ରବି
ନୀଡ ଫେରା ପକ୍ଷୀ ଆନନ୍ଦେ ଦେଖନ୍ତି
ସେ ଦିବ୍ୟ କନକ ଛବି ||
ସଞ୍ଜ ନଇଁ ଆସେ ବିଭାବରୀ ଆସେ
ପିନ୍ଧି ତାର କଳା ଶାଢୀ
ସଭିଏଁ ନିଜର ଗୃହକୁ ଫେରିଣ
ଖୋଲନ୍ତି ଗପର ପେଡି ||
ଝାପ୍ସା ଆଲୁଅରେ ନୀଳ ଗଗନରେ
ତାରାଗଣ ଝିଲିମିଲି
ଚୂପି ଚୂପି ଯାଇ ମୋ ପ୍ରୀୟାର ଗାଲେ
ସରୁ ଚୂମା ଆଙ୍କି ଦେଲି ||
ଆକାଶରେ ଚହ୍ନ ଦେ
ଖି ହସିଦେଲା
ପ୍ରୀୟା ମୋ ସରମି ଗଲା
ତାବାହୁ ବନ୍ଧନେ ମୋତେ ବନ୍ଦୀ କରି
ମୋଛାତିରେ ଲୁଚିଗଲା ||
ଘଣ୍ଟାକଣ୍ଟା କ୍ରମେ ଉପରକୁ ଉଠେ
ନିଶା ଆଗକୁ ବଢିଲା
ଖାଇସାରି ସର୍ବ ପ୍ରାଣୀ ନିଦ୍ରା ଦେବୀ
କୋଳରେ ଆଶ୍ରୟ ନେଲା ||
ପ୍ରାଚୀ ଗଗନରେ ସିନ୍ଦୂରା ଫାଟିଲା
ନିଶିଥିନୀ ଚାଲିଗଲା
କ୍ରମେ ଆକାଶରେ ତାରାଗଣ ସାଥେ
ଜହ୍ନ ଲୁଚି ପଳାଇଲା||
ଧରଣୀର ପୃଷ୍ଠ ଉଦ୍ଭାସିତ ହେଲା
ଆକାଶେ ଉଇଁଲା ରବି
ଅପୂର୍ବ ରୂପରେ ମନ ମୋହୁଥିଲା
ତା' ଦୀପ୍ତ କନକ ଛବି ||
ଘଣ୍ଟା କଣ୍ଟାଟିର ଦକ୍ଷିଣାବର୍ତ୍ତରେ
ଏ ପରି ଘୂର୍ଣ୍ଣନ ଗତି
ସମୟର ନିତ୍ୟ ନୈମିତିକ ଚକ୍ର
ଦେଖାଉ ଥାଏ ସେ ନିତି ||
ରାତି ପରେ ଦିନ ଆସେ ଧରାପରେ
ଦିନ ଶେଷେ ଆସେ ରାତି
ଛାଇ ଆଲୁଅର ଖେଳ ଚାଲିଥାଏ
ଧରାରେ ଏମନ୍ତ ନିତି ||
ମଣିଷ ଜୀବନ ଜନ୍ମରେ ଆରମ୍ଭ
ମୃତ୍ୟୁରେ ହୁଏ ଶେଷ
ସମୟର ସହ ସମତାଳେ ଚାଲେ
ଘଟଣାର ସମାବେଶ ||
ସାଗରେ ଜୁଆର ସମୟର କଣ୍ଟା
ସବୁବେଳେ ଚାଲୁଥାଏ
କାହାପାଇଁ ସିଏ ମୁହୂର୍ତ୍ତେ ରହେନି
ନିଜ କର୍ମେ ମଜିଥାଏ ||
ଆହେ ବନ୍ଧୁଗଣ ଦେଇ ମନ କର୍ଣ୍ଣ
ଶୁଣିରଖ ମୋର କଥା
ସମୟ କାହାକୁ ଅପେକ୍ଷା କରେନି
ଅବିରତ କର୍ମ ଚିନ୍ତା ||
ଅବିରତ ତୁମେ କର୍ମ କରିଚାଲ
କର ନାହିଁ ଫଳ ଚିନ୍ତା
ଫଳ ତ ତୁମକୁ ଅବଶ୍ୟ ମିଳିବ
ସତ୍କର୍ମ ସଦା କରୁଥା||