ସମୟ ସୁଅରେ ଆଜିର ନବବର୍ଷ
ସମୟ ସୁଅରେ ଆଜିର ନବବର୍ଷ
ବିସ୍ମୃତି ଗର୍ଭରେ ଅତୀତ ଲୁଚଇ
ସମୟ ସୁଅରେ ବର୍ଷ ,
ନଶ୍ୱର ଦେହଟା କଡ଼ ଲେଉଟାଏ
ଦେଇ ନୂତନକୁ ସ୍ପର୍ଶ ।
ଜାନୟାରୀ ମାସ ପହିଲା ତାରିଖ
ଆସଇ ନୂଆ ବରଷ ,
ଆନନ୍ଦ, ଉଲ୍ଲାସେ ବରଣ କରନ୍ତି
ବର୍ଷକୁ କରି ସରସ।
ମୋବାଇଲ୍ ଆଉ ୱାଟସ୍ ଆପ୍ ରେ
ଆସେ ଅସଂଖ୍ୟ ମେସେଜ,
ହେପିନ୍ୟୁ—ଇୟର୍ ଶୁଭେଚ୍ଛା ବାର୍ତ୍ତାରେ
ଉତ୍ଫୁଲ୍ଲ ହୁଏ ସମାଜ ।
ବାଣ —ତୁରଙ୍ଗରେ ମଦର ନିଶାରେ
ଉତ୍ସୃଙ୍ଖଳ ପରିବେଶେ,
ବରଣ ହୁଅଇ ନୂତନ ବରଷ
ମଧ୍ୟ ରାତ୍ରି ଅବକାଶେ।
ଅମଣିଷ ଗୁଣେ ଅବିବେକି ପଣେ
ପ୍ରବଳ ଉତ୍ପାତ ହୋଇ ,
କେତେ ରଙ୍ଗ ଆଉ ଢଙ୍ଗରେ ନାଚନ୍ତି
ସ୍ବାଗତ ବର୍ଷକୁ ନେଇ ।
ବର୍ତ୍ତମାନ ର 'ଶବଧାର' ଉପରେ
ବସି ପାଳୁ ନବବର୍ଷ ,
କଣ ବା' ଶିଖୁଛି ଉତ୍ତର ଦାୟଦ
ଆହ୍ବାନ କରି ବରଷ ।
ଯିବ ପୁରାତନ ଆସିବ ନୂତନ
ଏହାତ ରହିଛି ରୀତି ,
ଭ୍ରମାନ୍ତକ ମାର୍ଗ ସତର୍କ କରାଏ
ଆଗାମୀ ଜୀବନ ଗତି।
ସରାଫି ନିଶାରେ ଅର୍ଦ୍ଧନଗ୍ନ ନୃତ୍ୟେ
ହତ୍ୟାକରି ସଂସ୍କାରକୁ ,
ମାନବିକତା କୁ ସ୍ୱାହା କରି ଦେଇ
ପାଳୁଛୁ ନବ ବର୍ଷକୁ ।
ଜଗନ୍ନାଥ ଆମ ସାହିତ୍ୟ ସଂସ୍କୃତି
ପ୍ରୀତି ମନ୍ଦାକିନୀ ଧାରା ,
ଶୁଭ୍ର ଚେତନାଟି ଉଜ୍ଜୀବିତ ହେଉ
ସବୁରି ହୃଦୟେ ପରା ।
ଶୁଭ ଶଙ୍ଖ ବାଜୁ ପ୍ରତିଟି ସ୍ପନ୍ଦନେ
ହେ ଉତ୍କଳୀୟ ସନ୍ତାନ ,
ଶୃଙ୍ଖଳିତ କର ସଭ୍ୟ ସମାଜକୁ
ବରଣ କରି ନୂତନ ।
ସମୟ ସୁଅରେ ଆଜି ନବ ବର୍ଷ
କାଲି ପୁରୁଣା ହୋଇବ ,
ସଚେତନ ହେଲେ ଆଗାମୀ ଭବିଷ୍ୟ
ସ୍ବର୍ଣ୍ଣାଭ ବର୍ଷ ପାଳିବ ।
