ସମୟ ଓ ମୃତ୍ୟୁ
ସମୟ ଓ ମୃତ୍ୟୁ
ଆଜି ବଞ୍ଚିବାର
ରାହା ଖୋଜୁଖୋଜୁ
ବୋହୁଛି ଅମାପ ଦୁଃଖ
ସମୟ ଚକ୍ରର
ପଶା ପାଲିରେ ଯେ
ଖୋଜୁଛି ମଣିଷ ସୁଖ ।
କାଳର କରାଳ
ରୂପ ବିକଟାଳ
ଲେଲିହାନ ଶିଖା ପରି
ଧ୍ବଂସ ବିଧ୍ବଂସର
ବିଭୀଷିକା ରଚେ
ପ୍ରକୃତି ତାଣ୍ଡବ କରି ।
ଅତୀତ ରହିଛି
ବହୁତ ପଛରେ
ଘଡିସନ୍ଧି ବର୍ତ୍ତମାନ
ଭବିଷ୍ୟତ ଅବା
କିଏ ବା ଦେଖିଛି
ସୃଷ୍ଟିର ଆବର୍ତ୍ତନ ।
ବିଚ୍ୟୁତ ହୁଏନି
ତା' ଲକ୍ଷ୍ୟ ସ୍ଥଳରୁ
ଅବିରାମେ ଚାଲେ ମାଡି
ଅଲକ୍ଷ୍ୟରେ କେବେ
ଅପେକ୍ଷା କରେନି
ଆସ୍ଥାନରେ ମୁହଁ ମାଡି ।
ଦିଶାହୀନ ଜନ
ଭାଗ୍ୟକୁ ନିନ୍ଦିଣ
କପାଳେ ମାରୁଛି ହାତ
ସମୟ ଚକ୍ରରେ
ଜନ୍ମ ପରେ ମୃତ୍ୟୁ
ଚିରନ୍ତନ ଧ୍ରୁବ ସତ୍ୟ ।
ବହିଣା ସେ କେବେ
କାହାକୁ ଦେଇନି
କେବେ ସେ ଆସିବ ବୋଲି
ସମୟ ଓ ମୃତ୍ୟୁ
ଏ ଦୁଇ ସଙ୍ଗାତ
ନ ଜଣାଇ ଆସେ ଚାଲି ।
