ସମସ୍ୟା ଆଉ ସଂପର୍କ
ସମସ୍ୟା ଆଉ ସଂପର୍କ


ଯେମିତି ଅଗଣିତ ଅସରନ୍ତି
ସମାସ୍ୟାର ଆଉ ସଂପର୍କର
ତନ୍ତୁରେ ତା'ର ହୃଦୟଟି ଗୁନ୍ଥା ।
କେଉଁଠି କିଏ ଟିକିଏ ଝିଙ୍କିନେଲେ
ଛିଡ଼ିଯାଏ ତନ୍ତୁଟିଏ ,
ଚଟ୍ କରି ଝଟକାଟିଏ ଲାଗେ !
ଦଶଦିଶ ଦିଶେ ଗାଢ଼କଳା !
ଭାଙ୍ଗିଯାଏ ସଂପର୍କଟିଏ
ଦୋହଲି ଯାଏ ତା'ର ସଂସାର ।
ଯେତେ ଲହୁ ଲୁହାଣ ହେଲେ ବି
ସେ ଅଦୃଶ୍ୟ ଯନ୍ତ୍ରଣାକୁ
କାହାକୁ ଦେଖାଇ ପାରେନି ।
ସମସ୍ୟାର ଆଉ ସଂପର୍କର ଦାସ ସିଏ
ଜୀବନ ତା'ର ଏହାରି ଭିତରେ
ଛନ୍ଦିହୋଇ ଅଣନିଃଶ୍ୱାସୀ ।
ଜୀବନର ଲକ୍ଷାଧିକ
ସମସ୍ୟା ଆଉ ସୂକ୍ଷ୍ମ ସଂପର୍କ ସହ
ତା'ର ଅବିଶ୍ରାନ୍ତ ଯୁଦ୍ଧ ଆଉ ପରାଜୟ ।
ତଥାପି ସେ ଲଢ଼ି ଚାଲିଛି ଅହରହ
ଛୋଟ ସମସ୍ୟାଟିଏ ଦୂରକରି
ପୁରସ୍କାର ସ୍ୱରୂପ ପୁଣି ଏକ
ବଡ଼ ସମସ୍ୟାକୁ ସେ ହାତେଇ ନେଉଛି ।
ଗୋଟିଏ ଭଙ୍ଗା ସଂପର୍କର
ଧ୍ୱଂସସ୍ତୁପ ଉପରେ
ନୂଆ ଏକ ସଂପର୍କର ଅଟାଳିକାଟିଏ
ଗଢ଼ିବାକୁ ବୃଥା ପ୍ରୟାସ ସେ କରୁଛି ।