ସ୍ମୃତିରେ ଶୀତରାତି
ସ୍ମୃତିରେ ଶୀତରାତି
ହଜି ହଜି ଯାଏ କାଶତଣ୍ଡୀ ଶୋଭା
ଶୁଖି ଶୁଖି ଆସେ ନଈ
ଶୀତ ସକାଳର କାକର ବିନ୍ଦୁରେ
ତୁମ ମୁହଁ ଦିଶୁନାହିଁ I
ତୁମେ ପରା ସେଇ ଅମାନିଆଁ ନଈ
ପୀରତି ମଧୁର ଛୁଆଁ
ଶୀତ ପାହାନ୍ତିର ହାଡଭଙ୍ଗା ଶୀତ
ପାଉଁଶ ତଳର ନିଆଁ I
ନିସ୍ତବ୍ଧ ରାତିର ନିଷିଦ୍ଧ ସପନ
ତୁମେ ପ୍ରାଣ ଖୋଲା ଖୁସି
ତୁମ ପ୍ରତିକ୍ଷାରେ ରାତି ସରିଯାଏ
ପ୍ରୀତିଫୁଲ ହୁଏ ବାସି I
ଦେଖିଥିଲି ଦିନେ ତୁମକୁ ଗୋ ପ୍ରିୟା
ଏକାନ୍ତରେ ଏକା ବସି
ଅତି ଆଦରରେ ବଢାଇଲି ହାତ
ସରଗୁ ପଡିଲି ଖସି I
ଶୀତ ସକାଳର ନରମ ଖରାରେ
ଦେଖିଦେଲେ ତୁମ ମୁହଁ
ସ୍ମୃତି ଲୁଚିଯାଏ ବିସ୍ମୃତି ଗର୍ଭରେ
ଆଖି ପିଇଯାଏ ଲୁହ I
