ସ୍ମୃତି ନୀଳକଇଁ
ସ୍ମୃତି ନୀଳକଇଁ


ନୀଳ ଆକାଶର ଅନନ୍ତ ନୀଳିମା ଇନ୍ଦ୍ରଧନୁର ରଙ୍ଗେ
ସ୍ମୃତି ବିଚଳିତ ପ୍ରତିଟି ମୁହୂର୍ତ୍ତ ଭାବନାର ସପ୍ତରଙ୍ଗେ ।।
ଶରୀର ଚଟାଣେ ସ୍ମୃତିର ମର୍ମରେ ସୁଖ ସପନର ରାଣୀ
ପହିଲି ପ୍ରେମର ଉସୁମ ପରସେ ଆନନ୍ଦ ବିଭୋର ପ୍ରାଣୀ ।।
ଅଗନା ଅଗନି ବନସ୍ତ ଭିତରେ ଅସରନ୍ତି ଗନ୍ତାଘର
ସ୍ମୃତି ନୀଳକଇଁ ସ୍ମୃତି ଦିବ୍ୟସ୍ରୋତ ମନମୁଗ୍ଧ ସ୍ମୃତି ମୋର ।।
ହଜିଲା ବସନ୍ତ ମିଳିଛି ସ୍ମୃତିରେ ବିଧୁରିତ ମଳୟରେ
ଲୁପ୍ତ ମିଳନ ସୁପ୍ତ ହୋଇଯାଏ ବୈଶାଖୀର ବଳୟରେ ।।
କେତେ ସ୍ମୃତି ଆଉ ବିସ୍ମୃତି ଢେଉରେ ନାଚି ଉଠେ ମନ ମୋର
ମଧୁର ଭାବନା ସୁନେଲି ସପନେ ସମର୍ପିତ ତନୁ ମୋର ।।
ମଧୁବନେ ମଧୁପାତ୍ରରେ ଆଜି ପ୍ରିତିର ମନ୍ଦିର ଶୂନ୍ଯ
ଇନ୍ଦ୍ରଧନୁର ସପ୍ତରଙ୍ଗେ ନାହିଁ ମିଳନର ସ୍ବନ ।।
ସପନରେ ଆସି ଦେଖା ଦେଉଅଛ ପାଶେ ଗଲେ ପ୍ରହେଳିକା
କିଛି କ୍ଷଣ ଆସି ଫେରିଯାଅ ତୁମେ ରହିଯାଏ ମୁହିଁ ଏକା ।।
ରାତ୍ରିର ସପନ ଖୋଜୁଅଛି ଏବେ ଅବ୍ୟୁଦ ପ୍ରିତି ଚୁମ୍ବନ
ସହସ୍ର କଦମ୍ବ ସପ୍ତ ରୋମାଞ୍ଚରେ ଉଲ୍ଲାସିତ ତନୁ ମନ ।।