ସମ୍ପର୍କ
ସମ୍ପର୍କ
ଆତ୍ମୀୟତାର ପୂର୍ଣ୍ଣ ଅବୟବ ମୂର୍ତ୍ତି ସମ୍ପର୍କରୁ ସୃଷ୍ଟି
ଭଲ ପାଇବାର ନିହାଣ ସ୍ପର୍ଶରେ ଫୁଟିଉଠେ ସମ୍ପର୍କର ସୌନ୍ଦର୍ଯ୍ୟ
ମାତ୍ର ଆଜି ସବୁକିଛି ମରୁଗଦ୍ୟ ପରି ଶୁଷ୍କ, ନୀରସ
ସମସ୍ତ ଔଜ୍ୱଲ୍ୟ ଆଜି ଅସ୍ତମିତ
ଗୋଧୂଳି ଶେଷର ଫିକା ଆଲୁଅ ଭଳି ଛାୟାଛନ୍ନ
ସମସ୍ତ ବାହମାନ ସମ୍ପର୍କ ସ୍ରୋତ ଆଜି ନିସ୍ତବ୍ଧ
ବିସ୍ତୀର୍ଣ୍ଣ ପୃଥିବୀ ଦେଖୁଛି ଆସ୍ତିର୍ଣ୍ଣ ମାନବର ଆତ୍ମଘାତୀ
ବନ୍ୟା ବିଭୀଷିକା ପୁଣି ବିଚ୍ଛେଦ ମହାମାରୀ ବାଞ୍ଛିତ ଧରାରେ ବଦଳାଇ ଦେଲା ଚିତ୍ର
ସମସ୍ତ ସମ୍ପର୍କ ଆଜି ବଦଳାଇଦେଇଛି ରଙ୍ଗ
ସର୍ବତ୍ର ଅମା ଅନ୍ଧାରର ରାତ୍ର
ଆଉ ସଙ୍ଘର୍ଷ ଓ ସଂଗ୍ରାମର ପଦଶବ୍ଦ
ବେଦନାର ବୋଝ ଅଶ୍ରୁର ସ୍ରୋତରେ ମିଶି ସୃଷ୍ଟି କରୁଛି ଏକ ଭିନ୍ନ ଅନୁଭବ
ବିପନ୍ନ ହୃଦୟ ଖୋଜୁଛି ଆଜି ସମ୍ପର୍କର ସହାନୁଭୂତି
ମାତ୍ର ସବୁ କିଛି ନିବିଡ ନିଃସଙ୍ଗତାରେ ଶ୍ୟାମଳ ସାନ୍ନିଧ୍ୟ
ସମସ୍ତ ସମ୍ପର୍କ ଆଜି ସ୍ୱାର୍ଥରୁ ଉତ୍ପନ୍ନ
ନାହିଁ ସେଠି ସମର୍ପଣ, ନାହିଁ ସେଠି ପ୍ରତିଜ୍ଞା
କେବଳ କିଛି ପାଇବା ଆଶାରେ କିଛି ହରାଇବାର ଔପଚାରିକତା
ସେତକ ବି ଫିକା ଆଜି ଆତଙ୍କର ଆଇନାରେ
ନାହିଁ କିଛି ସମ୍ପର୍କର ମୂଲ୍ୟ
ନିଜକୁ ବଞ୍ଚିବାର ପ୍ରୟାସରେ ସମସ୍ତେ ଭୁଲିଯାଇଛନ୍ତ ସମ୍ପର୍କର ମହତ୍ତ୍ୱକୁ
ସମସ୍ତ ନିବିଡତା ଆଜି ଦିଗହରା
ସମସ୍ତ ଆନ୍ତରିକତା ଆଜି ଶୂନ୍ୟରେ ମିଳେଇଯାଇଛି
ନାହିଁ ଏଠି ଆଲିଙ୍ଗନ, ନାହିଁ ଏଠି ସ୍ନେହମୟ ସ୍ପର୍ଶ
ସମସ୍ତେ ଯେମିତି ଚାରିକାନ୍ଥ ଭିତରେ ଗୋଟେ ଗୋଟେ ନିର୍ଜୀବ ମଣିଷ
ସମ୍ପର୍କ କେବଳ ଫୁଟିଉଠୁଛି ଶବ୍ଦରେ
ବାସ୍ତବରେ ପାଶୋରା ସେ ଶବ୍ଦ ||
