ସମ୍ପର୍କ
ସମ୍ପର୍କ
ବିଧାତା ଗଢ଼ଇ ସଂସାରେ ସମ୍ପର୍କ
ହୃଦ ଅବା ରକତର
ମନୁଷ୍ୟ ଖେଳୁଛି ଖେଳଣା ପରାଏ
ମହତ୍ତ୍ୱକୁ ଭୁଲି ତା'ର ।
ଆଜିର ସମାଜେ ସମ୍ପର୍କର ମୂଲ୍ୟ
ବୁଝେନାହିଁ ଏ ମଣିଷ
ଅଲୋଡ଼ା ସାଜିଛି ହୃଦୟେ ସମ୍ପର୍କ
ଭରିଛି ସ୍ୱାର୍ଥର ବିଷ ।
ରକତ ବି ଏଠି ପର ହୋଇଯାଏ
ଭୁଲିଯାଏ ସମ୍ପର୍କକୁ
ହୃଦୟର ଭାବ କିଏ ବା ବୁଝିବ
ସାକ୍ଷୀ ରଖି ସମୟକୁ ।
ଧନ ସମ୍ପଦରେ ବଳିୟାର ଯିଏ
ସମ୍ପର୍କ ତା' ପାଇଁ ତୁଚ୍ଛ
ଗର୍ବ ଅହଂକାର ତାହାରି ଆତ୍ମୀୟ
ସଭିଙ୍କୁ ଭାବଇ ନିଚ୍ଚ ।
ନିର୍ଦ୍ଧନର ପାଶ ନ ଆସନ୍ତି କେହି
ସମ୍ପର୍କ ପଡଇ ଫିକା
ବାଟଭାଙ୍ଗି ଚାଲି ଯାଆନ୍ତି ସକଳେ
ଭାବ ଏଠି କିଣାବିକା ।
ସ୍ୱାର୍ଥର ଆଳରେ ସମ୍ପର୍କ ସୁନ୍ଦର
ବୁଝିବା ସହଜ ନୁହେଁ
ବିଷକୁମ୍ଭ ମଧ୍ୟେ ଅମୃତ କଣିକା
ମିଠା କଥା ଖାଲି ମୁହେଁ ।
ତ୍ୟାଗ ବଳିଦାନ ସମ୍ପର୍କର ମାନ
ହଜିଲାଣି ହୃଦୟରୁ
ସମ୍ପର୍କ ତିଷ୍ଠିବା ନିମନ୍ତେ ସାଧନା
ଅମୂଳକ ଜୀବନରୁ ।
ହିଂସା, ଅତ୍ୟାଚାର ବିସ୍ତାରୁଛି କାୟା
ସମ୍ପର୍କ ହରାଇ ସ୍ଥିତି
ଦିଗହରା ହୋଇ ମଣିଷ ଖୋଜୁଛି
ଜୀବନେ ତାହାର ଶାନ୍ତି ।
ସୁଦୃଢ଼ ସଶକ୍ତ ସମ୍ପର୍କର ରଜ୍ଜୁ
ଖଣ୍ଡ ବିଖଣ୍ଡିତ ହୋଇ
ତଥାପି ଆଶାୟୀ ଛିଣ୍ଡିଯିବ ନାହିଁ
କେତେ ଝଡଝଞ୍ଜା ସହି ।
ସ୍ନେହଶ୍ରଦ୍ଧା ପ୍ରେମ ଲୋକଦେଖାଣିଆ
ହୋଇଲାଣି ସମାଜରେ
ସମ୍ପର୍କର ସଂଜ୍ଞା ବଦଳି ଗଲାଣି
ସ୍ୱାର୍ଥପର ଦୁନିଆରେ ।
ସମାଜ ହାଟରେ ମୂଳଚାଲ ହୁଏ
ସମ୍ପର୍କର ସୂକ୍ଷ୍ମତତ୍ତ୍ୱ
ତଥାପି ସମ୍ପର୍କ ତିଷ୍ଠିଛି ସଂସାରେ
ମହତ୍ତ୍ୱ ବଖାଣି ନିତ୍ୟ ।
