ସମ୍ପର୍କ
ସମ୍ପର୍କ
ସମ୍ପର୍କର ଜଉ ମୁଦା ଲଫାପାରେ ତୁମେ ,
ତୁମେ ନୀଳ ଆକାଶର ଅବ୍ୟକ୍ତ ପରିଭାଷା
ହେମନ୍ତର ଶୀତଳତା
କେବେ ଅବୁଝା କବିତା !
ସମ୍ପର୍କ ଗୋଟେ ଲୋଟଣୀ ପାରା ପରି ଘୁମୁରୁଥାଏ
ମୋ ଚେତନାର ଚୌହଦୀରେ
କେବେ ସୋରିଷ ଫୁଲର ହଳଦୀ ମଖା
ତୁମ ଅଳସ ଦେହରେ ତ ,
କେବେ କୁହୁଡି ଘେରା
ଅଦୃଶ୍ୟ ମାନ ଇସାରାରେ
ସମ୍ପର୍କ ତମ ମୋ ଭିତରେ !
ଏବେ କୁହ
ତୁମେ ଅମାବାସ୍ୟାର ଅରୁନ୍ଧତୀ ତାରା
ନା ମନ ଉପକୂଳର ଦିଗବାରେଣୀ ,
କେମିତି ଅବୁଝା ଏ ସମ୍ପର୍କ
କାୟା ନଥାଇ ମାୟା
ଛାୟା ନ ଥାଇ କାୟା
ବଡ ଅଦ୍ଭୁତ ଏ ସମ୍ପର୍କ !
