STORYMIRROR

BISWESWAR MAJHI

Inspirational Others

5.0  

BISWESWAR MAJHI

Inspirational Others

ସଲାମ୍ ଘେନ ହେ ପୂଜ୍ୟ କଲାମ

ସଲାମ୍ ଘେନ ହେ ପୂଜ୍ୟ କଲାମ

2 mins
13.7K


ତୁମସ୍ଵପ୍ନର ଅତୁଲ୍ୟ ଭାରତ

ଅରୁଣ ଆଲୋକ ଦେଖି ନାହିଁ

ବିଂଶୋତ୍ତରୀ ବିଂଶ ଭିଜନ୍ ତୁମର

ଏଯାଏ ସଫଳ ହୋଇନାହିଁ ।

ପନ୍ଦରର ସତେଇଶ ଜୁଲାଇରେ

କେଉଁ ସ୍ଵପ୍ନ ଦେଖି ଗଲ ଶୋଇ

ସଲାମ୍ ଘେନ ହେ ପୂଜ୍ୟ କଲାମ୍

କଲମ ତୁମର ଉଠୁ ଚେଇଁ ।।୧


 ଉଶେଇଶ ଏକତ୍ରିଶ୍ ପନ୍ଦର ଅକ୍ଟୋବର

ଜନମ ଲଭିଲ ତୁମେ ସାଇଁ

ପଦ୍ମ ବିଭୂଷଣ ଭାରତ ରତ୍ନ

ୟା’ବିନୁ ସଂପଦ କିଛି ନାହିଁ ।

ଦେଶ ଦଶ ପାଇଁ ସବୁ ତ୍ୟାଗ କରି

ଦ୍ଵିତୀୟ କର୍ଣ୍ଣ କେ ସାଜୁନାହିଁ

ସଲାମ୍ ଘେନ ହେ ପୂଜ୍ୟ କଲାମ୍

ଦେଶ ଭକ୍ତି ଗଲ ସାଥେ ନେଇ !!୨


ଆବୁଲ ପାକିର ଜଲାଲୁବ୍ଦିନ

ଅବ୍ଦୁଲ କଲାମ ଆହେ ସାଇଁ

ରାମେଶ୍ଵରମର ତ୍ୟାଗୀ ରାଜା ରାମ

ରାମ ରାଜ୍ୟ ତୁମ ଆସିନାହିଁ ।

ଯୁବ ଛାତ୍ରଙ୍କୁ ସୁନାଗରିକର

ଶପଥ ଆଉ କେ ଦେଉନାହିଁ

ସଲାମ୍ ଘେନ ହେ ପୂଜ୍ୟ କଲାମ୍

ଦେଶ ମା' କାନ୍ଦେ କଇଁକଇଁ ।।୩


ପ୍ରୋଟୋକଲ୍ ଭାଂଗି ମାନବିକତାର

ମହା ଦୀକ୍ଷା କେହି ଦେଉନାହିଁ

ରାଜନେତା ଠାରୁ ବୈଜ୍ଞାନିକ

ବଡ ପ୍ରମାଣ ଆଉ କେ କରୁନାହିଁ ।

ଦେଶଭକ୍ତ ଜଣେ ତୁମପରି ଆଉ

ଭାରତ କୋଳକୁ ଆସୁନାହିଁ

ସଲାମ୍ ଘେନ ହେ ପୂଜ୍ୟ କଲାମ୍

ବସିଅଛୁ ତୁମ ବାଟ ଚାହିଁ ।।୪


 ଝୁରେ ଚାନ୍ଦିପୁର ଝୁରେ ହ୍ୱିଲର

'ଆକାଶ' 'ପୃଥିବୀ' ଏକ ହୋଇ

ହ୍ୱିଲର ନୁହେଁ 'କଲାମ ଆଇଲ୍ୟାଣ୍ଡ'

ନାମ ସିନା ଆମେ ଅଛୁ ଦେଇ !

ସଫଳ ପରୀକ୍ଷା କେତେ ହୋଇଲାଣି

ତୁମ ପାଦ ଆଉ ପଡୁନାହିଁ

ସଲାମ୍ ଘେନ ହେ ପୂଜ୍ୟ କଲାମ୍

ମିସାଇଲମ୍ୟାନ ନାମ ବହି ।।୫


ସରଳ ଜୀବନ ଧାରାରେ କେ ଉଚ୍ଚ

ବିଚାରକୁ ଭରି ଦେଉନାହିଁ

ଦେଶ ସେବା ଲାଗି ଚୀର କୁମାର କେ

ତୁମପରି ଆଉ ହେଉନାହିଁ ।

ତୁମପରି ଜନତାର ରାଷ୍ଟ୍ରପତି

ଆଉ କେ ତିଆରି ହେଉନାହିଁ ।

ସଲାମ୍ ଘେନ ହେ ପୂଜ୍ୟ କଲାମ୍

ଆମ କଥା ମନେ ପଡୁ ନାହିଁ !!୬


ଶାସନ ତନ୍ତ୍ରର କ୍ଷମତା ମୋହକୁ

କ୍ଷଣକରେ ଗଲ ଭୁଲି କାହିଁ

ଛାତ୍ରଙ୍କୁ ଦୀକ୍ଷା ଦେବାପାଇଁ ଯାଇ

ପ୍ରାଣବାୟୁ ଉଡିଗଲା କାହିଁ !

ତୁମ ସପନକୁ ସତ କରିବାକୁ

ଦେଶ ଆଜି ଉଠିଅଛି ଚେଇଁ

ସଲାମ୍ ଘେନ ହେ ପୂଜ୍ୟ କଲାମ୍

ଶପଥ କରୁଛୁ ସେଥିପାଇଁ ।।୭

-ବିଶ୍ଵେଶ୍ୱର ମାଝୀ-


Rate this content
Log in

Similar oriya poem from Inspirational