ସକାଳର ଜଣାଣ
ସକାଳର ଜଣାଣ
ହେ ଆନନ୍ଦମୟ ପରମଈଶ୍ୱର
ତୁମେ ଜଗତର ନାଥ
ତୁମରି ଆଜ୍ଞାରେ ସୁରୁଜ ଆସନ୍ତି
ଆଲୋକରେ ଉଦ୍ଭାସିତ ।
ଦିବସ ରଜନୀ ଋତୁ ଚକ୍ର ପୁଣି
ତୁମରି ଆଦେଶେ ହୁଏ
ଜନମ ମରଣ କରମ ବନ୍ଧନ
ସବୁକିଛି ଫେଡ଼ା ଯାଏ।
ଯେତିକି ଦିନର କଣ୍ଟ ରହିଅଛି
ସେତିକି ଦିନର ବାସ
ସେଥିପାଇଁ କିମ୍ପା ଲୋଭାତୁର ହେବି
ଧନ ଦାରା ସୁତ ପାଶ।
ମୋର ମୋର ବୋଲି ଯାହାକୁ ଭାବୁଛ
ମୋହର ତ କିଛି ନାହିଁ
ଜୀବ ଯିବା ବେଳେ ନଯାନ୍ତି ସାଥିରେ
ଏକା ତୁହି ପ୍ରଭୁ ରହି।
ଏସବୁ ଭାବନା ମନରୁ ପୋଛିକି
ସତ୍ୟ ଧରମରେ ଚଳି
ମଣିଷ ଜନମ ବିତାଇ ଦେବାକୁ
କରୁଅଛି ପାଶେ ଅଳି।