ସିନ୍ଧୁ ତଟେ ଖରାଦିନ ସାୟନ୍ତନ
ସିନ୍ଧୁ ତଟେ ଖରାଦିନ ସାୟନ୍ତନ


ଖରାଦିନେ ବସି ଥିଲି
ବେଳାଭୂମି ବାଲିପରେ
ଦିନନାଥ ବୁଣିଦେଲେ
ଅସ୍ତରାଗ ସିନ୍ଧୁନୀରେ ||
ନୟନେ ମୋ ଝଲସିଲା
ପ୍ରତିଚୀ ଦିଗବଳୟେ
କନକର ରୂପକାନ୍ତି
ସେହି ସୂର୍ଯ୍ୟାସ୍ତ ସମୟେ||
ସ୍ଥଳବାୟୁ ବହୁଥିଲା
ମୃଦୁ ମନ୍ଦେ ନାନା ରଙ୍ଗେ
ସାଗରରେ ମୀନଜୀବି
ତରି ଝୁଲଇ ତରଙ୍ଗେ ||
ପ୍ରାଚ୍ୟାକାଶେ ଉଇଁ ଆସେ
ପୂର୍ଣ୍ଣିମାର ପୂର୍ଣ୍ଣ ଚନ୍ଦ୍ର
ଶାନ୍ତ କାନ୍ତ ନିଶାକର
ହସହସ ମୁଖଚନ୍ଦ୍ର ||
ପୁରବାସୀ ଲଭିବାକୁ
ସୁଶୀତଳ ସମୀରଣ
ତାରା ଗଣ ଜହ୍ନ ଦେଖି
କରେ ଚିତ୍ତ ବିନୋଦନ ||
ସୂର୍ଯ୍ଯ ଚନ୍ଦ୍ର ପାରାବାର
ଜଳେ କରି ଆକର୍ଷଣ
ସୃଷ୍ଟି କରେ ସିନ୍ଧୁ ଜଳେ
ଜୁଆରର ଗରଜନ ||
କେଉଁ ଏକ ବେଦନାରେ
 
; ସିନ୍ଧୁ ହୃଦ ଜର୍ଜରିତ
ମୋ ଆଗରେ ମଥା ମିଟି
ଲୋଟି ପଡୁଥାଏ ସେ ତ ||
ଦୂର ନଭେ ତନ୍ଦ୍ରାଳସେ
ଦିଗବଳୟ ସୁଷମା
ଜହ୍ନ ଆସି ହସି ହସି
ପ୍ରୀତି ଭରେ ଦିଏ ଚୁମା ||
ତାରାଗଣ ଏହାଦେଖି
ଲାଜେ ଦେଲେ ଆଖିବୁଜି
ମିଞ୍ଜି ମିଞ୍ଜି ନୁହେଁ ତାହା
ଆଖି ଖୋଲା ଆଖିବୁଜି ||
ଏ ସମୟେ ଭାସିଆସେ
ମତ୍ସଜୀବୀ ଗୀତ ତାନ
ଧୀରେ ଆସି ମୋ ପ୍ରେୟସୀ
କୋଳେଇ ଦେଲା ଚୁମ୍ବନ ||
ତା ହାତରେ ମୋ ହାତକୁ
ଧରି ତା ଓଠେ ଲଗାଇ
କହିଲା ସେ ହସି ହସି
ଘରକୁ ଫେରିବା ପାଇଁ ||
କ୍ରମେ କ୍ରମେ ବେଳାଭୂମି
ଜନଶୂନ୍ୟ ହୋଇଗଲା
ପୁରବାସୀ ନିଦ୍ରା କୋଳେ
ଶାନ୍ତିରେ ବିଶ୍ରାମ ନେଲା ||