STORYMIRROR

Ajit kumar Mishra

Romance

4  

Ajit kumar Mishra

Romance

ଶୂନ ଓ ଶୂନ୍ୟର ପରିଧି

ଶୂନ ଓ ଶୂନ୍ୟର ପରିଧି

1 min
291

ମୋ ଘର ଛାତ ଉପରେ ଜହ୍ନ ହସେ

ତୋ ଘର ଅଗଣାରେ ବି ଜହ୍ନ ହସେ

ମତେ ଭାରି ଭଲ ଲାଗେ ଏଇ ଜହ୍ନ

ଏକା ଜହ୍ନଟିରେ ବନ୍ଧା ତୋର ମନ

ଆମ ଦୁହିଁଙ୍କର ଏବେ ମଧ୍ୟସ୍ଥି ଏ ଜହ୍ନ। 


ଛାତ ଉପରୁ ମୁଁ ଜହ୍ନକୁ ଦେଖୁଛି

ତୋ ଅଗଣାରୁ ତୁ ଜହ୍ନ ଦେଖୁଥିବୁ

ଏଇ ଜହ୍ନ ମୋର ହାତ ପାହାନ୍ତାରେ

ତୋ ହାତ ବି ଜହ୍ନ ଛୁଇଁ ପାରେ 

କିନ୍ତୁ ମୋ ଠାରୁ ତୁ କାହିଁ କେତେ ଦୂରେ

ତତେ ଛୁଇଁବା ତ କଳ୍ପନା ବାହାରେ

ଛଟପଟ ମନ ଏ ତ୍ରିଭୁଜ ଭିତରେ।


ଭଲପାଏ ବୋଲି କହିବାକୁ ଚାହେଁ

ଚିଠିଟିଏ ଲେଖି ଥୋଇ ଦିଅନ୍ତି କି ଜହ୍ନର ବୁକୁରେ

ସଫା ଆଲୁଅରେ ହାତ ଲେଖା ଚିହ୍ନି

ଚମକି ଯାଆନ୍ତୁ ହୃଦୟ ଭିତରେ

ହାତକୁ ବଢ଼ାଇ ସାଉଁଟି ଆଣନ୍ତୁ

ମନର ଆବେଗେ ପ୍ରେମର ଚିଟାଉ

ପଦେ ଉତ୍ତରକୁ ଚାହିଁ ବସିଥାନ୍ତି

ସାଦା କାଗଜ ବି ଦିଅନ୍ତା ସମ୍ମତ୍ତି

ଥୋଇବି ପାରନ୍ତୁ ଯଦି ପଦେ ଲେଖି। 


ତ୍ରିଭୁଜର ଶୀର୍ଷେ ବସି ଜହ୍ନ ହସେ

ବାରମ୍ଵାର ମତେ ଉପହାସ କରେ

ପାଗଳ ହେଲି ମୁଁ ଭୂମିର ଉପରେ

ସରଳ ରେଖା କି ବକ୍ର ହୋଇପାରେ

ଭଲପାଏ ବୋଲି କହିବାକୁ ହେଲେ

ବୃତ୍ତଟିଏ ହୋଇ ହଜିବାକୁ ହୁଏ

ଶୂନ ଓ ଶୂନ୍ୟର ପରିଧି ଭିତରେ।


ଜହ୍ନ ଯେତେ ମତେ ବୁଝାଇ କହିଲେ

ମନଟା କିନ୍ତୁ ମୋ ଅବୁଝା ମୂଳରୁ

ଜଟିଳ ପଥରେ ମନର ଜ୍ୟାମିତି

ସମାଧାନରେ କି ମିଳିପାରେ ପ୍ରୀତି

ଆଶାର ଆକାଶେ ମଳିନ ଆଲୋକ

ତଥାପି ମେଣ୍ଟିନି ଉତ୍ତରରେ ଆଶ

ବୃତ୍ତକାର ଜହ୍ନ ବୃତ୍ତ ଚଲାପଥ

ଛାଡି ଚାଲିଯାଏ ତ୍ରିଭୁଜର ଶୀର୍ଷ

ଦୂରେ ଦୂରେ ସେହି ବୃତ୍ତ ପଥପରେ

ଶୂନ ଓ ଶୂନ୍ୟର ପରିଧି ଭିତରେ।


Rate this content
Log in

Similar oriya poem from Romance