ହଡ଼ା ବଳଦ
ହଡ଼ା ବଳଦ
ବେକରେ ପଘାଟି ଲାଗିଥିଲା ବୋଲି
ମୁଠେ ଦାନା ପାଇଁ ପରିଶ୍ରମ ଥିଲା ।
ପରିଶ୍ରମ କରି ପାରୁଥିଲି ବୋଲି
ଭବିଷ୍ୟତ ମୋର ଆଖି ଆଗେ ଥିଲା ।
ଭବିଷ୍ୟ ଉଜ୍ଜଳ ଜଣାଥିଲା ବୋଲି
ଚଉପାଶେ ମୋର ଭରସା ବଢ଼ିଲା ।
ବିଶ୍ବାସ ଭରସା ରଖିଥିଲି ବୋଲି
ନିଜର ସାମର୍ଥ୍ୟ ସମର୍ପିତ ହେଲା ।
ସମର୍ପଣ ଦିନେ କରିଦେଲି ବୋଲି
ନିଜକୁ ହଜାଇ ଦେବାକୁ ପଡିଲା ।
ନିଜକୁ ଖୋଜିବା ପାଇଁ ଆଗେଇଲେ
ଗୋଠ ଛଡା ବୋଲି ଶୁଣିବାକୁ ହେଲା ।
ଗୋଠ ଛଡା ହୋଇ ବୁଲିବାର ପରେ
ନାନାରଙ୍ଗ ଦାନା ପ୍ରକୃତି ଯାଚିଲା ।
ପ୍ରକୃତିର ପଥ ବାଛିନେବା ପରେ
ଖାଲ ଓ ଢିପର ଭୟ ବି ହଟିଲା ।
ଭୟ ଆଉ ଭ୍ରାନ୍ତି ହଟିଯିବା ପରେ
ନିସଙ୍ଗ ଜୀବନ ଆଲୋକିତ ହେଲା ।
ଆଲୋକର ପଥ ବାଛିନେବା ପରେ
ଗୋଠ ଛଡାଙ୍କର ଆଶ୍ରୟ ମିଳିଲା ।
ସୁବର୍ଣ୍ଣ ପଥରେ ଆଶ୍ରିତ ଥିଲେ ବି
ହଡ଼ା ବଳଦର ପରିଚୟ ଥିଲା ।
