ମୋ ଫେରନ୍ତା ପଥରେ
ମୋ ଫେରନ୍ତା ପଥରେ
ନିର୍ଜ୍ଜନତା......
ଆଖି ପାହାନ୍ତାରେ
ମୋ ପଥ ପରେ
କେହି ଜଣେ ନାହିଁ
ସାହସ ସବୁ ମୋ ଖସିଗଲା ପରେ
ତଥାପି ଚାଲିଛି ... ଚାଲୁଥିବି ଖାଲି
ଗଭୀର ନିଦ୍ରାରେ
ଅଶରୀରୀ ହାସ୍ୟ
ଯଉବନ ପ୍ରାନ୍ତେ
ବାର୍ଦ୍ଧକ୍ୟର ଡାକ
ଜୀବନର ଶେଷେ
ମୃତ୍ୟୁ ପୂର୍ଣ୍ଣଛେଦ
ପ୍ରାଣ ବୋଲି କିଛି ଅଦୃଶ୍ୟ ଏଠାରେ
ମୁଁ କିନ୍ତୁ ଚାଲେ
ଫେରନ୍ତା ପଥରେ
ଏକା ଏକା ଏହି ଅସୀମ ରାସ୍ତାରେ
ହଜିଯିବାରେ ବି ଭ୍ରୂକ୍ଷେପ କରେନା......
ନିଃସଙ୍ଗତା......
ଚାହିଁ ଯେବେ ଦେଖେ
ଚଉପାଶେ ମୋର
ସାଥୀ କେହି ନାହିଁ
ଆଶା ବାଡି ମୋର ହଜିଯିବା ପରେ
ତଥାପି ଚାଲିଛି ... ଚାଲୁଥିବି ଖାଲି
ଆଲୋକ ବିହୀନ
ଆକୁଳା ଧରିତ୍ରୀ
ଶିଶୁର ଓଠରୁ
ଜନନୀ ଅମୃତ
ପୁରୁଷ ହୃଦୟ
ନାରୀର ବିଚ୍ଛେଦ
ସବୁ କିଛି ଏଠି ହଜିଯିବା ପରେ
ମୁଁ କିନ୍ତୁ ଚାଲେ
ଫେରନ୍ତା ପଥରେ
ଖୋଜି ଖୋଜି ଚାଲେ ନିଃସଙ୍ଗତାରେ
ଖସି ପଡିବାରେ ଭ୍ରୁକ୍ଷେପ କରେନା......
ନିଃସ୍ତବ୍ଧତା......
ଶୁନ୍ ଶାନ୍ ପଥେ
ଶବ୍ଦ ଲଭିବାରେ
କିଛି ବୋଲି ନାହିଁ
କାନ ଡେରିଥିଲେ ଅନ୍ତଃନାଦ ଛଡା କିଛି ବି ଶୁଭେନା
ତଥାପି ଚାଲିଛି ... ଚାଲୁଥିବି ଖାଲି
ବଜ୍ରପାତ ଯେବେ
ଶବଦର ବିନା
ସଙ୍ଗୀତରେ ନାହିଁ ତାଳ କି ମୂର୍ଚ୍ଛନା
ଶିଶୁ ଜନ୍ମ ନିଏ କୁଆଁ ରାବ ବିନା
ମିଳାଇ ଯାଇଛି ସବୁ କିଛି ଧିରେ
ମୁଁ କିନ୍ତୁ ଚାଲେ
ଫେରନ୍ତା ପଥରେ
ହାତ ତାଳି ଦେଇ ନିଃସ୍ତବ୍ଧତାରେ
ଶୁନ୍ ଶାନ୍ ପଥେ ଭ୍ରୂକ୍ଷେପ କରେନା......
ନିରବତା......
ମୋ ପଥ ପରେ
କିଛି ବି ଚଳେନା
କୋଳାହଳ ମୋର ଶିରା ପ୍ରଶିରାରେ
ଧକ୍କା ଦେଲେ ଯେତେ ଟିକେ ବି ଘୁଞ୍ଚେନା
ତଥାପି ଚାଲିଛି ... ଚାଲୁଥିବି ଖାଲି
ପୂଜକର ପୂଜା
ମନ୍ତ୍ର ପାଠ ବିନା
ଆରତୀରେ ଯେବେ
ଦୀପ ବି ଜଳେନା
ଦେବତା ହେଲେ ବି
ମୁଣ୍ଡ ନୁଁଆଏନା
କର୍ତ୍ତବ୍ୟ ଶବଦ ଭୁଲିଯିବା ପରେ
ମୁଁ କିନ୍ତୁ ଚାଲେ
ଫେରନ୍ତା ପଥରେ
ଶୂନ୍ୟ ଶୂନ୍ୟ ଖାଲି ମହାଶୂନ୍ୟ ଏଠି
ମିଳାଇ ଗଲେବି ଭ୍ରୂକ୍ଷେପ କରେନା......