କୋମଳପାଦ
କୋମଳପାଦ
ରଖନା ତୋର କୋମଳ ପାଦ ଆଉ ଏ ପିଠିରେ ଝିଅ
ଏ ପିଠି ଏବେ ଦନ୍ଥରା
କଣ୍ଟା ବୁଦାର ମାଳ ପିଠି ସାରା
ଫାଟ ଯେ ଫାଟ
ସେଥିରେ ପୁଣି ସରିସୃପଙ୍କ ଚାଲବୁଲ୍ ।।
କାହିଁ ଆସୁ ତୁ ? ଯେତେ ମନା କଲାପରେ ବି
ପୋତିବାକୁ ଶ୍ରଦ୍ଧା ମଞ୍ଜି ?
ଫେରେଇଦେଇଛି ପରା ସହସ୍ର ଥର
ଦେଖୁଛୁ ପରା ହଜାରେ ଘା'ର ଶ୍ରାଦ୍ଧ
ପ୍ରତିଥର ।।
କୋଉ ବିଶ୍ୱାସ ତତେ ଉଜ୍ୱଳ କରୁଛି?
ବୀଜପତ୍ର ମେଲିବାର ନାହିଁ ଆଉ ମୋ ପିଠିର
କୋଉ ବି କୋଣରେ ..... ଏ ପିଠି ଯାକ ନିଆଁ ।।
ଢାଳରେ କଣ ଅମୃତ ଘେନି ଆସିଛୁ?
ସିଞ୍ଚି ଦେଲେ ଶସ୍ୟ ପାଲଟିବ?
କିନ୍ତୁ ପେଟ କାଇଁ ଯେ ....
କାହାର ବି ପାଟି ନାହିଁ
କିଏ ଖାଇବ କହ ?
ଯା' ଲେଉଟାଣି ପାଦରେ
ତୋ କୋମଳତାକୁ ଚାବିଦେଇ
ସିନ୍ଧୁକରେ ରଖ
ହଁ ଯଦି ପାରୁ ପିନ୍ଧି ନେ ଗୋଟେ ସାଞ୍ଜୁ
ଆଉ ଲୁହା ଚପଲ ହଳେ
ନିଜେ ନିଜର ଢାଲ ହ
ତା' ପରେ ଦେଖିବା
ଯିବାକୁ ହବ କେତେବାଟ ।।
