ପ୍ରତୀକ୍ଷା
ପ୍ରତୀକ୍ଷା
ମୋ ଘର ଛାତ ଉପରେ ବସି
ଆଜିକାଲି ଆଉ କାଉ ରାବୁ ନାହିଁ ।
ନିଃସଙ୍ଗ ଜୀବନ ମୋର ବୋଲି ସିଏ ଜାଣେ
କେହି କେବେ ଆସିବେ ବି ନାହିଁ ।
ଖାଉ ଖାଉ କେତେ କଥା ଭାବୁଥାଏ ସିନା
ଗଳାରେ ମୋ କେବେ କିଛି ରହିଯାଏ ନାହିଁ ।
ପାଟିରୁ ମୋ ଭାତ ଗୁଣ୍ଡା ଗଳି ପଡେନାହିଁ
ମୋ ଅଇଁଠା ଖାଇବାରେ ଆଶା କା'ର ନାହିଁ ।
ହାତରୁ ମୋ ଥାଳି ଗିନା ଖସି ପଡେନାହିଁ
ଦୂର ଦୂରାନ୍ତରେ ମୋର ବନ୍ଧୁ କେହି ନାହିଁ ।
ସାଇକେଲ ଘଣ୍ଟି ଖାଲି ଶୁଭୁଥାଏ ସିନା
ସେ ଶବଦେ ମଧୁରତା ଟିକେ ବୋଲି ନାହିଁ ।
ଚିଠି ଚିଠି ଡାକ ଶୁଣି ଧାଇଁଯାଏ ହେଲେ
ଡାକବାଲା ଦୁଆରକୁ କେବେ ଆସେନାହିଁ ।
ଟେଲିଫୋନ ଘଣ୍ଟି ଆଉ ବାଜି ଉଠୁନାହିଁ
ହାଏ ପ୍ରିୟତମ ବୋଲି ଶୁଣାଇବା ପାଇଁ ।
ସନ୍ଦେଶ ବାକ୍ସ ମୋର ସବୁବେଳେ ଖୋଲା
ହାୟ ସେ ଶୂନ୍ୟତା କେବେ ଭରି ପାରେନାହିଁ ।
ଅସ୍ଥିରତା ଭରା ଏଇ ମନଟା ମୋହର
ମୋ କଥା ଭାବିବାକୁ କେହି ଜଣେ ନାହିଁ ।
ଜୀବନ ପ୍ରଦୀପ ପାଇଁ, ମୋର ବୋଲି କେହି ନାହିଁ
ତଥାପି ଜାଣେନା ଏ ପ୍ରତୀକ୍ଷା ମୋ କାହାପାଇଁ ।

