STORYMIRROR

Ajit kumar Mishra

Inspirational

3  

Ajit kumar Mishra

Inspirational

ଅଢ଼େଇ ଦିନିଆ ଏଇ ଜୀବନଟା

ଅଢ଼େଇ ଦିନିଆ ଏଇ ଜୀବନଟା

1 min
205


ଭାବୁଚି ଥରେ ଆଖି ପୁରାଇ ଦେଖିନେବି

ମୋ ଗାଁ ଶେଷ ମୁଣ୍ଡ ବରଗଛକୁ

ଯା'ର ଓହଳରେ ପିଲା ଦିନଟା କଟିଛି

ପତ୍ର ଝଡ଼ା ଦେଇ ଆଜି ହୋଇଲାଣି ଥୁଣ୍ଟା

କାଲି କାଳେ ଆଉ ଏ ଗଛ ବି ନଥିବ।


ଭାବୁଛି ଥରେ ଆଖି ପୁରାଇ ଦେଖିନେବି

ମୋ ଗାଁ ଆରମ୍ଭର ଗ୍ରାମ ଦେବତୀଙ୍କୁ

ଚାଲି ଯାଉ ଯାଉ ମୁଣ୍ଡ ନଇଁଯାଏ

ଚାରିପାଖେ ଆଜି ଘେରା ବୁଲିଲାଣି

କାଲି କାଳେ ଏ ପଥର ମୂର୍ତ୍ତି ବି ନଥିବ।


ଭାବୁଛି ଥରେ ଆଖି ପୁରାଇ ଦେଖିନେବି

ମୋ ଗାଁ ପଛପଟ ମହାନଦୀଟିକୁ

ସ୍ରୋତରେ ଯା'ର ମୋ ଜୀବନଟା ଗଢ଼ା

ପାଣି ଶୁଖି ଆଜି ରାସ୍ତା ଫିଟିଲାଣି

କାଲି କାଳେ ଏ ନଦୀ ବି ନଥିବ। 


ଭାବୁଛି ଥରେ ଆଖି ପୁରାଇ ଦେଖିନେବି

ମୋ ଗାଁର ସୁନ୍ଦରୀ ସେ ଧୋବଣୀ ଝିଅକୁ

ଯା'ର ରୂପରେ ମୋ ମନ ପୁରି ଉଠେ

ଶହେ ବଦନାମେ ଆଜି ଘରେ ଲୁଚିଲାଣି

କାଲି କାଳେ ତା'ର ଯୌବନ ନଥିବ।


ଭାବୁଛି

ଥରେ ଆଖି ପୁରାଇ ଦେଖିନେବି

ମୋ ଗାଁ ଘେରିଥିବା ବିଲମାଳକୁ

ଲୁଚକାଳି ଖେଳେ ଯା'ର କୋଳେ ଲୁଚୁଥିଲି

ଅଟ୍ଟାଳିକା କେତେ ଘୋଡେଇ ଦେଲେଣି

କାଲି କାଳେ ଏ ଶାଗୁଆ ରଙ୍ଗ ବି ନଥିବ।


ଭାବୁଛି ଥରେ ଆଖି ପୁରାଇ ଦେଖିନେବି

ସଭିଙ୍କର ପ୍ରିୟ ଆଈ ବୁଢ଼ୀଟିକୁ

ଆଶୀର୍ବାଦ ଟିକେ ମନ ଛୁଇଁନିଏ

ଯିବି ଯିବି ବୋଲି ଆଜି ହାତ ଯୋଡ଼ିଲାଣି

କାଲି କାଳେ ତା କୋମଳ ଆଉଁଷା ନଥିବ।


ଭାବୁଛି ଥରେ ଆଖି ପୁରାଇ ଦେଖିନେବି

ମୁଣ୍ଡିଆ ଉପର ମନ୍ଦିର ଶୋଭାକୁ

ଘଣ୍ଟ ନାଦରେ ଗାଁ ପାପ ଧୋଉଥିଲା

ଘଣ୍ଟ ମନ୍ତ୍ର ଆଜି ଯନ୍ତ୍ର ଗାଇଲେଣି

କାଲି କାଳେ ସେଠି ଦେବତା ନଥିବ।


ଭାବୁଛି ଥରେ ଆଖି ପୁରାଇ ଦେଖିନେବି

ପିତାମାତା  କୁଟୁମ୍ବ  ବନ୍ଧୁ ଓ ପ୍ରେମିକା

ଅଢ଼େଇ ଦିନିଆ ଏଇ ଜୀବନଟା

ଦେଢ଼ ଦିନ ପ୍ରାୟ ଚାଲି ବି ଗଲାଣି

କାଲି କାଳେ ଏ ଜୀବନ ନଥିବ।



Rate this content
Log in

Similar oriya poem from Inspirational