ଶୁଭୁଛି ରାବ !
ଶୁଭୁଛି ରାବ !
କର୍ଣ୍ଣେ ରାବ ଶୁଭୁଛି !
କାଳିଆ କାଳିଆ ପରି ନାମ ଲାଗୁଛି,
କର୍ଣ୍ଣେ ରାବ ଗୁଞ୍ଜୁଛି !!
ସତେ କି ସୁଦୟା,କଲେ ଜଗନ୍ନାଥ
କରିବେ କି ପ୍ରଭୂ, ପୂର୍ଣ୍ଣ ମୋନରଥ !
ମନ ପ୍ରାଣ ମୋର,ଖୁସିଯେ ହେଉଛି
ଅପାର ଆନନ୍ଦ, ମନରେ ଭାସୁଛି !!
କର୍ଣ୍ଣେ ରାବ ଶୁଭୁଛି........
ମନ କୂତୁହଳ, ମସ୍ତିଷ୍କେ ଜାଗ୍ରତ
କାହିଁକି ନ ହେବ,ଠାକୁର ସେହୁତ !!
ନାମ ଶୁଭୁ ଅଛି କର୍ଣ୍ଣରେ ଗୁଞ୍ଜୁଛି
ନାମ କାଳିଆରେ ମୁଗ୍ଧ ମୁଁ ହେଉଛି!!
କର୍ଣ୍ଣେ ରାବ ଗୁଞ୍ଜୁଛି ............
ଚକାନୟନର, ଚକ୍ରାନ୍ତ ଏ ସାରା,
ଅଦୃଶ୍ୟେ ଶୁଭୁଛି,ନାମ ରତ୍ନ ପରା !
ଜଗା ଆଶୀର୍ବାଦ, ମନଯେ, କହୁଛି,
କେତେ ଭାଗ୍ୟବାନ ମନରେ ଭାବୁଛି !!
କର୍ଣ୍ଣେ ରାବ ଶୁଭୁଛି..........
ଦିଶେ ପୁରୀକ୍ଷେତ୍ର, ନେତ୍ରରେ ମୋହର,
ବାନା ପ୍ରଭୁଙ୍କର,ଉଡ଼େ ଫରଫର !
କଳିଙ୍ଗ ସାଗର,ଚକ୍ଷୁରେ ଦେଖୁଛି,
ମଣିମ ମଣିମା, ହୃଦରେ ଶୁଭୁଛି !!
କର୍ଣ୍ଣେ ରାବ ଶୁଭୁଛି.............
ବିଚ୍ଛିନ୍ନାଞ୍ଚଳରୁ ଦେଖୁଛି ନେତ୍ରରେ,
କାଳିଆ ଠାକୁର,ନଜର ଦେଲେରେ !
ପୁଣି ବଡ଼ଦାଣ୍ଡ,ନେତ୍ରରେ ଦିଶୁଛି,
କାଳିଆର ନାମ ଅନ୍ତରେ ପଡୁଛି !!
କର୍ଣ୍ଣେ ରାବ ଶୁଭୁଛି..........
ଉତ୍କଳ ଏ ଭୂମି,ବିଚ୍ଛିନ୍ନ ହୋଇଛି,
ଭାଷା ଶିକ୍ଷା ନାହିଁ ଦୁର୍ଭାଗ୍ୟ ପଡ଼ିଛି !
ଚକାନୟନହେ ସବୁତ ଦେଖୁଛି,
ଆଶାର କୀରଣ ଜାଗ୍ରତ ହେଉଛି !!
କର୍ଣ୍ଣେ ରାବ ଶୁଭୁଛି.............
ଓଡ଼ିଆ ସମ୍ମାନ ଏଠି କି ମିଳିବ,
ପୂର୍ବର ଗୌରବ,ଫେରି କି ପାଇବ !
ମାତୃଭାଷା ଶିକ୍ଷା, ଚକ୍ଷୁରେ ଦିଶୁଛି,
ଅପୂର୍ବ ଉତ୍ସାହ,କିମ୍ପା ଯେ ହେଉଛି ?
କର୍ଣ୍ଣେ ରାବ ଶୁଭୁଛି............
ମନବାଞ୍ଛା ପୂର୍ଣ୍ଣ,କର ଜଗନ୍ନାଥ,
ଶିକ୍ଷା ମାତୃଭାଷା, ଯୋଡ଼ି ଦିଅ ନାଥ !
ତୋର କରୁଣା କି, ଏଠାରେ ପଡ଼ିବ,
ମନର ବିଶ୍ବାସ, ସତ୍ୟ କି ହୋଇବ !!
କର୍ଣ୍ଣେ ରାବ ଶୁଭୁଛି..............
