ଶୁଭ
ଶୁଭ
ଘରୁ ବାହାରିଲେ ପୂର୍ଣ୍ଣକୁମ୍ଭ ଯଦି
ଦେଖିବୁ ଆଖିରେ ଭାଇ
ମାଆ ସନ୍ତାନକୁ କିଛି ବାଟଯାଏ
ଯଦିରେ ଚାଲିକି ଯାଇ।୧
ଗାଈ ବାଛୁରୀକୁ ସପ୍ରେମରେ କ୍ଷୀର
ପିଆଉଥିବ ଯତ୍ନରେ
ନେଉଳ ଆଗରେ ଯଦି ଚାଲିଯିବ
ହୋଇବ ଶୁଭ ଦିନରେ।୨
ମାଛ ଆଉ ଦହି ଖିଆ ହେଉଥିବ
କୌଣସି ସ୍ଥାନରେ ଯଦି
ଦେଖିଦେଲେ ଭାଇ ସେହି ଦିନ ଜାଣ
ଶୁଭରେ ହୃଦୟ ଭେଦି।୩
ଯାଉଯାଉ ଯଦି ବାମର ପାର୍ଶ୍ବରେ
ଶବକୁ ଦେଖିବ ନିଜେ
ଭାବିନେବ ଭାଇ ଆଜି ହିଁ ନିଜକୁ
ଈଶ୍ବର ସାମ୍ନାରେ ବିଜେ।୪
ଡାହାଣ ପାଖରେ ହରିଣ ଦେଖିଲେ
ଶୁଭଫଳ ମିଳିଥାଏ
ଭାବନା ତୁମର ଫଳପ୍ରଦ ହେବ
ଏ କଥା ମିଥ୍ଯା କି ହୁଏ?୫
ନୈଷ୍ଠିକ ବୈଷ୍ଣବ ନାମ ଶୁଣାଇବା
ଯଦିରେ ପଡେ଼ କାନରେ
ଆଖି ଆଉ କର୍ଣ୍ଣ ପବିତ୍ର ହୁଅଇ
ଆନନ୍ଦେ ଆଖିରୁ ଝରେ।୬
ଶଙ୍ଖ ଧ୍ବନୀ ଯଦି ଶୁଣିନେବ ଭାଇ
ଜାଣିବ ଆଜି ଦିନଟି
ସୌଭାଗ୍ଯର ଦିନ ହେଉଛି ନିଶ୍ଚୟ
ଭଲରେ ଯିବଟି କଟି।୭
ମହା ପ୍ରସାଦକୁ ଯଦି ମିଳିଗଲା
ଭାବିବାକୁ ହେବ ଜାଣ
କୋଟି ଧନ୍ଯ ନିଜେ ହୋଇଲ ସେଦିନ
ଆତ୍ମା ହେବ ନିଶ୍ଚେ ପୁଣ୍ଯ।୮
ହୁଳହୁଳି ଯଦି କର୍ଣ୍ଣରେ ବାଜିବ
ଶୁଭଙ୍କର ଦିନ ହେବ
ଶଙ୍ଖଚିଲ ଆଉ ଭରଦ୍ବାଜ ପକ୍ଷୀ
ଦେଖିଲେ ଆନନ୍ଦ ଭାବ।୯
ପ୍ରେମର ସଂସାରେ ଧର୍ମର ଏ ଦୃଶ୍ଯ
ଭାଗ୍ଯରେ ମିଳୁ ସଭିଙ୍କୁ
କୋଟି ଶୁଭମିଳୁ ନିତିଦିନ ଭାଇ
ଧନ୍ଯ ହୋଇଯାଅ ନିଜକୁ।୧୦
