ଶୁଭ ଜନ୍ମଦିନ
ଶୁଭ ଜନ୍ମଦିନ
ବରଷକେ ଥରେ ଆସେ ଜନ୍ମଦିନ
ଖୁସି ଆନନ୍ଦକୁ ନେଇ
ପାଳନ୍ତି ପିଲାଏ ସାଙ୍ଗ ସାଥି ମେଳେ
ବେଶ ପରିପାଟୀ ହୋଇ ।
ସଜାଇ ଘରକୁ ସୁନ୍ଦର ଭାବରେ
ଫୁଲ ରଙ୍ଗ ପଟ୍ଟ ପତ୍ରେ
ସ୍ୱାଦିଷ୍ଟ କେକକୁ କାଟନ୍ତି ଛୁରୀରେ
ଗୀତ ଗାଇ ଏକ ସ୍ୱରେ ।
ଜଣାନ୍ତି ସକଳେ ହେ ପ୍ରଭୁ ଈଶ୍ୱର
ଢାଳିଦିଅ ଆଶୀର୍ବାଦ
କାମନା କରୁଛୁ ଶୁଭ ଜନ୍ମଦିନ
ଶୁଭ ନାମ ଉଚ୍ଚାରିଣ ।
ବିତିଯାଉ ବର୍ଷ ମଙ୍ଗଳ ଆନନ୍ଦେ
ମନେ ରହୁ ହସ ଖୁସି
ପ୍ରସନ୍ନ ରହନ୍ତୁ ପ୍ରିୟ ପରିଜନ
ପରିବାର ସାଙ୍ଗ ସାଥି ।
ମିଠା ମିଠା କଥା ସହିତେ ବାନ୍ଧବେ
ମିଷ୍ଟାନ୍ନ ହୁଏ ବଣ୍ଟନ
ଧନୀକ ଶ୍ରେଣୀର ପିଲାଏ କରନ୍ତି
ଭୋଜିଭାତ ଆୟୋଜନ ।
ମିଳିମିଶି ସର୍ବେ ବିତାନ୍ତି ଦିନଟି
କରନ୍ତି ମନୋରଞ୍ଜନ
ବାଦ୍ୟ ନୃତ୍ୟ ତାଳେ ମଧୁର ସଙ୍ଗୀତ
ହୁଅଇ ପରିବେଷଣ ।
କେହି କେହି ପିଲା ପ୍ରତ୍ୟୁଷରୁ ଉଠି
ମାତା ପିତାଙ୍କ ଗହଣେ
ଗୃହ ବା ମନ୍ଦିରେ ପ୍ରଦୀପ ଜଳାଇ
ଆରାଧନ୍ତି ଭଗବାନେ ।
ସନ୍ତାନ ସନ୍ତତି ନୂତନ ବସ୍ତ୍ରକୁ
କରିଥାନ୍ତି ପରିଧାନ
ଅର୍ଘ୍ୟ ଥାଳ ଧରି କରିଥାନ୍ତି ମାତା
ବନ୍ଦାପନା ସୁକଲ୍ୟାଣ ।
ଗୁରୁ ଗୁରୁଜନେ ମଥା ନତ କରି
କଲେ ଭୂମିଷ୍ଠ ପ୍ରଣାମ
ମନାସନ୍ତି ସର୍ବେ ଦୀର୍ଘ ପରମାୟୂ
ଜୀବନେ ଖୁସି ଆନନ୍ଦ ।
ଆମ ସୁସଂସ୍କାର ପ୍ରଥା ଓ ଚଳନୀ
ହେଉ ଦିବ୍ୟ ସମୁଜ୍ଜ୍ୱଳ
ସମନ୍ୱୟେ ବଢୁ ଆଗ୍ରହ ଉତ୍ସାହ
ଜୀବନ ହେଉ ସ୍ୱଚ୍ଛନ୍ଦ ।
-------
