STORYMIRROR

Sambit Srikumar

Classics Inspirational Others

4  

Sambit Srikumar

Classics Inspirational Others

ଶରଣାଗତ

ଶରଣାଗତ

1 min
299


ଏଇ ଜୀବନର ରଣ କ୍ଷେତ୍ରେ ହୋଇ ପରାହତ

ଆଉ ଯୁଝିବାକୁ ନାହିଁ ମୋହର ଶକ୍ତି ଓ ସାମର୍ଥ୍ୟ

ଭୀରୁପଣେ ନୁହେଁ ପ୍ରଶାନ୍ତିର ଅନନ୍ତ ଅନ୍ବେଷଣେ

ହୋଇଅଛି ଏବେ ମୁହିଁ କୁରୁକ୍ଷେତ୍ରରୁ ପରାଙମୁଖ।


ବୃଥା ତର୍କ ବିତର୍କ ବିବାଦ ତୁଛା ଅନୁଗ୍ରହ ଆନୁଗତ୍ୟ

ସବୁଥିରୁ ଯେହୁଁ ହୋଇଛି ଅନାସକ୍ତ ଭାବରେ ନିବୃତ୍ତ

ସେହୁ ଭୋଗୁଅଛି ନାନା ଯାତନା କଷଣ ଅକାରଣ

ସେଥିପାଇଁ କରି ନାହିଁ ମୋର ମନ ଉଣା କେଉଁ ଦିନ।


ଆହେ ଭାବଗ୍ରାହୀ କୃପାସିନ୍ଧୁ ମହାପ୍ରଭୁ ଶ୍ରୀଜଗନ୍ନାଥ!

ଦାତାପଣିଆରେ ପରା ତୁମ୍ଭ କୀର୍ତ୍ତି ଜଗତ ବିଦିତ

ତୁମ୍ଭେ ଅଟ ଅଖିଳ ବ୍ରହ୍ମାଣ୍ଡ ସ୍ବାମୀ ରାଜରାଜେଶ୍ଵର

ମୁହିଁ ଅରକ୍ଷିତ ଦୀନଜନ ହୀନ ସୁଅ ମୁହଁର ପତର।


ମୂଢମତି ନରାଧାମ ମୁଁ ଯେ ବିଧର୍ମୀ ପାପିଷ୍ଠ ପତିତ

ନାହିଁ ମୋର ଜାତି ଧର୍ମ ନାହିଁ ପାପ ପୂଣ୍ୟର ପାର୍ଥକ୍ୟ

ପ୍ରାଣ ରକ୍ଷା ଲାଗି ତୁମ୍ଭ ପାଦପଦ୍ମେ ମୁହିଁ ପଶିଛି ଶରଣ

କରିବନି କେବେ ପ୍ରଭୁ ତୁମ୍ଭ ଠାରୁ ମୋତେ ଅପସାରଣ।


ଘୋର ବିଷୟା ମୋହରେ ହୋଇ ଅନ୍ଧ ମୁଁ ନଜାଣଇ ପଥ

କଢାଇ ନେବ ସନ୍ମାର୍ଗରେ ମହାପ୍ରଭୁ ଧରି ମୋର ହାତ

କହିବାକୁ ତୁମ୍ଭର ଭକତ ନାହିଁ ମୋର ତିଳେ ଟାଣପଣ

ଏଇ ଅକିଞ୍ଚନେ କୃପା କରିଥାଅ ସଦା ବହି ତୁମ୍ଭ ବଡପଣ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics