STORYMIRROR

Bidyutprava Mishra

Inspirational Others Children

4  

Bidyutprava Mishra

Inspirational Others Children

ଶରଣ

ଶରଣ

1 min
387

ଶରଣ ରକ୍ଷଣ ଠାକୁର ତୁମେତ 

ପ୍ରଭୁ ଆମ ଜଗନ୍ନାଥ,

ଭକ୍ତଙ୍କୁ ଶରଣ ଦେଇ ମହାବାହୁ

ଉଡାଉଛ ତୁମ ନେତ l


ତ୍ରେତୟା ଯୁଗରେ ବିଭୀଷଣ ସେତ 

ଶରଣ ତୁମର ଗଲେ,

ଲଙ୍କାର ରାଜନ କରିଲ  ତାହାଙ୍କୁ

ଅମରତ୍ବ ପ୍ରାପ୍ତ ହେଲେ  l


ସୁଗ୍ରୀବ କୁ ପୁଣି ଶରଣ ଦେଇଣ

ବାଳୀ କୁ ବଧ କରିଲ,

କିଷ୍କିଣ୍ଡା ନୃପତି କରିଣ ତାହାଙ୍କୁ

ମିତ୍ର ପଣ ନିଭାଇଲ l


ଦ୍ୱାପର ଯୁଗରେ ସୁଦାମା ମିତ୍ରକୁ

ଶରଣ ତୁମେଯେ ଦେଇ,

ଧନ ରତ୍ନେ ତାଙ୍କ ଘର ଭରିଦେଲ

ଉଆସ ଦେଲ ବନାଇ l


ପାଣ୍ଡବ ମାନଙ୍କୁ ଶରଣରେ ନେଇ

ଧର୍ମ ମାର୍ଗ ଦେଖାଇଲ,

ଅର୍ଜୁନ ରଥରେ ସାରଥୀ ସାଜିଣ 

ନ୍ୟାୟ ର ସ୍ଥାପନା କଲ l


ଦ୍ରୌପଦୀ ରାଣୀ ଦୁଇ ହାତ ଟେକି

ମାଗିଲେ ତୁମ ଶରଣ,

କୋଟି ବସ୍ତ୍ର ଦାନେ ରଖିଥିଲ ମାନ

ଲଜ୍ଜା କରି ନିବାରଣ l


ଗଜ ଉଦ୍ଧାରଣ ମୃଗୁଣୀ ରକ୍ଷଣ

ସେଇ ଶରଣର ବଳେ,

ବିପଦରେ ପଡି ଡାକିଲେ ଆତୁରେ

ରକ୍ଷା କର ଅବହେଳେ l


ଧ୍ରୁବ ପ୍ରହଲ୍ଲାଦ ବାଳୁତ ହୋଇବି

ଜପିଥିଲେ ତୁମ ନାଆଁ,

ଧନ୍ୟ କରିଅଛ ଜୀବନ ତାଙ୍କର

ଆହେ ପ୍ରଭୁ ଚଉବାହା l


ଭରତିଆ ପକ୍ଷୀ ଶରଣ ପଶିଲା

ରଖିଲ ଘଣ୍ଟ ଘୋଡାଇ,

ଅଠର ଦିନର ଯୁଦ୍ଧ ସରିଗଲା

କିଛି ତାର ହେଲାନାହିଁ l


ଯିଏ ଯେତେବେଳେ ଶରଣ ଯାଇଛି

ରଖିଅଛ ତାର ମାନ,

ତୁମ ଶରଣର ହିସାବ ଦେବାକୁ

ନୁହଁଇ ମୁହିଁ ଭାଜନ ।

ଯାଉଛି ଶରଣ ତୁମରି ଚରଣ

ଆହେପ୍ରଭୁ ନାରାୟଣ,

ଶେଷ ସମୟରେ ତୁମରି ନାମକୁ 

ଗାଇ ଯାଉ ମୋର ପ୍ରାଣ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational