ଶ୍ରମ
ଶ୍ରମ
ଶରୀରରେ ଅଛି ହସ୍ତ ଦୁଇ ଗୋଟି
ତାହା ଦ୍ୱାରା ଶ୍ରମ ହୁଏ
ବିନା ଶ୍ରମରେ କି ଏଇ ଦୁନିଆରେ
ବଞ୍ଚି ରହି ପାରେ କିଏ ?
ଏଇ ଜଗତରେ ଛପନ କୋଟି ଯେ
ଜୀବ ଶ୍ରମ କରିଥାନ୍ତି
ନିଜର ଆହାର ନିଜେ ସେ ଖୋଜିଣ
ଉଦର ପୋଷିଣ ଥାନ୍ତି ।
ରଜନୀ ପାହିଲେ ପ୍ରଭାତ ହୋଇଲେ
ପକ୍ଷୀଏ ଆନନ୍ଦ ମନେ
ଦୂର ଦେଶାନ୍ତର ଉଡିଣ ଯାଆନ୍ତି
ନିଜ ଖାଦ୍ୟ ଅନ୍ୱେଷଣେ ।
ବାଇ ଚଢେଇଟି କେତେ ଶ୍ରମ କରି
ବସା ତା ତିଆରି କରେ
ଅଳସ୍ୟ ହେଇଣ ଛପର ନ କରି
ନର ଭିଜେ ବରଷାରେ ।
ଶ୍ରମର ମୂଲ୍ୟ ତ ମିଳିବ ନିଶ୍ଚତ
ହେଉ ପଛେ ସିଏ ଡେରି
ବିନା ଶ୍ରମେ ଅର୍ଥ ଜୀବନରେ କେବେ
ଆସେନି ହାତେ କାହାରି ।
ଏ ଫୁଲ ସେ ଫୁଲ ମହୁମାଛି ଉଡି
ମହୁକୁ ସଂଗ୍ରହ କରେ
ତାର ସେଇ ଶ୍ରମ ମୂଲ୍ୟରେ ଏ ନର
ରହି ଥାଏ ଆରୋଗ୍ଯରେ ।
ଦିନ ରାତି ଶ୍ରମ କରିଣ ପିମ୍ପୁଡି
ଖାଦ୍ୟ ତା ସଂଗ୍ରହ କରେ
ଭୋକ ଓପାସରେ ରହେ ନାହିଁ କେବେ
ସିଏ ଝଡି ବରଷାରେ ।
ହେଲେ ଏ ମାନବ ଶ୍ରମ ନ କରିଣ
ଦୁଃଖ ପାଉଥାଏ ନିତି
ଅଭାବ କଷଣେ ଲାଗି ରହି ଥାଏ
ଲୁହ ଝରେ ଦିନ ରାତି ।
ବସି ଖାଇଲେ ଯେ ନଈ ବାଲି ସରେ
ଏ କଥା ଜାଣନ୍ତି ସର୍ବେ
ତଥାପି ମନୁଷ୍ୟ କରିଣ ଆଳସ୍ୟ
ରହିଥାଏ ଅହଂ ଗର୍ବେ ।
ଛୋଟ ଶିଶୁଟିଏ ଚାଲି ଯେ ଶିଖଇ
ନିଜ ଶ୍ରମର ବଳରେ
ଧାଉଁ ଥିବା ପିଲା ଗୁରୁଣ୍ଡିବ ଯେବେ
କାହାକୁ କହିବ ବାରେ ।
ପିଲାଟିଏ ଯଦି ଶ୍ରମ ନ କରିଣ
ପାଠ ଯଦି ନ ପଢିବ
ଏଇ ଜଗତରେ ବିଦ୍ୟାର୍ଥୀ ବିଦ୍ୱାନ
ଭାବେ କି ଗଣା ହୋଇବ ।
ଶ୍ରମରେ ରହିଛି ଏଇତ ଜଗତ
ଶ୍ରମ ବିନା ନାହିଁ ଗତି
ଏଇ ଶ୍ରମ ପାଇଁ ଅଭାବ ଜୀବନ
ହେଇଥାଏ ସିନା ଇତି ।
ଶ୍ରମ କରି ବୃକ୍ଷ ରୋପଣ କରିଲେ
ଜଙ୍ଗଲ ସୃଷ୍ଟି ହୁଅଇ
ସେ ଜଙ୍ଗଲ ପାଇଁ ମାନବ ଜୀବନ
ଦୁଃଖ ଯାଏ ଦୂର ହେଇ ।