ଆଗ ଫଛ
ଆଗ ଫଛ
ଦୃଷ୍ଟିରେ ଆଗକୁ ଆଖି
ପଛରେ ସ୍ମୃତି ମୂକସାକ୍ଷୀ
ଜୀବନରେଖାର ଦୁଇ ବିନ୍ଦୁ
ଯିଏ ଯା' ସ୍ଥାନରେ ରହି
ଚାଲିଥାନ୍ତି ବ୍ୟବଧାନ ରଖି,
ଅତୀତ ଭବିଷ୍ୟତ
ଜଣକୁ ଆସିଛି ଦେଖି
ଆଉ ଜଣକୁ ଦେଖିବାକୁ
ତଉଲେ ନିରେଖି।
ଦୁଇ ମଧ୍ୟରେ ସମନ୍ଵୟ ରଖି
ସମୟ ଦିଏ ଏକ ଆହ୍ଵାନ
ଗଢିବାକୁ ଲଢିବାକୁ
ଲକ୍ଷ୍ୟର ମହତ୍ଵକୁ କରି ଉପଲବ୍ଧି,
ଅଜଣା ଆଗ ପଛର ଦୂରତା
ବୁଝି ହୁଏନା ତାର ସ୍ଥିତି
ଅନିର୍ଦ୍ଦିଷ୍ଟତା ଦୁହିଁଙ୍କ ଅବଧି।
ପାଇବାର ଆଶା ଆକାଂକ୍ଷା
ହରାଇବାର ଅନୁଶୋଚନାରେ
ଦ୍ଵନ୍ଦ ସୃଷ୍ଟି କରେ ପ୍ରଶ୍ନବାଚୀ,
ପ୍ରତି ମୁହୂର୍ତ୍ତରେ ମନ
ବଦଳାଏ ତାର ମୋଡ଼
ଦେଖି ତାର ଇପ୍ସିତ ରୁଚି।
ଆସନ୍ତି ସବୁ ଉଡି଼ ଉଡି଼
ପ୍ରବାସୀ ଚଢେଇମାନଙ୍କ ପରି
କାହିଁ କେତେ ଦୂରରୁ
ନିଜ ନିଜର ଆସ୍ଥାନ ଛାଡି଼,
କାମନାର ଅଦମ୍ୟ ଆବେଗତା
ଭୁଲି ପଛର ସବୁ ସ୍ମୃତିକୁ
ସୀମାରେଖା ଡେଇଁ
ଯାଏ ତାର ଗନ୍ତବ୍ୟ ପଥହୁଡି଼।
ଆଗ ପଛର ଭାରସାମ୍ୟତା
ନିର୍ଣ୍ଣୟ କରି ନିର୍ଯ୍ୟାସ
ଜୀବନକୁ ରଖେ ସଜାଡି,
ହୁଏ ଯଦି ତା ସ୍ଥିତି ଆନ୍ଦୋଳିତ
ମିଳେନା ସିଦ୍ଧାନ୍ତ
ଯୋଜନା ସବୁ ଯାଏ ବିଗିଡି଼ ।।
