STORYMIRROR

Dr Baman Chandra Dixit

Inspirational

3  

Dr Baman Chandra Dixit

Inspirational

ଶ୍ରମ ଧର୍ମ

ଶ୍ରମ ଧର୍ମ

1 min
183

ଶ୍ରମିକଠୁଁ ଶ୍ରମ ଛଡେଇ ନେଇଛି

ବେକାର କରିଛି ଯିଏ 

ମାଗଣାରେ ଭାତ ଲୁଣ ତେଲ ଦେଇ

ଦାତା ବୋଲାଉଛି ସିଏ।।


ଟଙ୍କାକର କିଲେ ଯାହାକୁ ଯେତେ ଲୋ

ଖାଉଥିବୁ କେତେ ଖାଆ

ଲାଗି ଖାଇବାକୁ ଚାହିଁବ ସେ କିଆଁ

ମାଗି ଖାଇଲାଣି ଯିଏ।।


ଗହିରି ବିଲ ବି ପଡ଼ିଆ ପଡୁଛି

ମଜୁରୀ ପାଁ...ଶ... ଟଙ୍କା

ଦିନେ ଖଟିଦେଲେ ହପ୍ତେ କାମ ଚଳେ

ନିଇତି ଖଟୁଛି କିଏ?


ମୁଣ୍ଡ ଝାଳ ତୁଣ୍ଡେ ମାରି କେ ଖଟୁଛି

ପେଟ ଚାଖଣ୍ଡକ ପାଇଁ

କର୍ମ ପରାୟଣ କର୍ମୀ ପାଇଁ କେବେ

କାମ ଅଭାବ ନଥାଏ।।


କୋଇଲା ଖଣିରେ ଖୋଳୁଛି କୋଇଲା

ପଥର ଭାଙ୍ଗୁଛି କେହି

ଦେଶ ପ୍ରଗତି ରେ ସହାୟକ ସାଜେ

ସବୁରି ଆଦର ପାଏ।।


ନେତା ମାନେ ନିତି ନୂଆ ନୂଆ ନୀତି

ଗଢୁଛନ୍ତି ଦେଶ ପାଇଁ

ସବୁରି ମୂଳରେ ନିଜ ସ୍ୱାର୍ଥ ସିଦ୍ଧି

ଅଗ୍ର ଅଧିକାର ପାଏ।।


ଅଯୋଗା କୁ ଯୋଗା ସଜେଇ ସଜେଇ

ଯୋଗାକୁ ପଛକୁ ଠେଲି

ରାଜନୀତି ରୁଟି ସେକୁଛନ୍ତି ସର୍ବେ

ପ୍ରଗତି ଦେଖୁଛି କିଏ?


ରୋଜଗାର ଦେବା କାମଟା କଠିନ

ମୁଣ୍ଡ ଘୁରାଉଛି ଭାବି

ବେରୋଜଗାରଙ୍କୁ ଭତ୍ତା ବାଣ୍ଟିବାର

ବିଚାର ଗୋଚର ହୁଏ।।


ଥୋକାଏ ହେଲେଣି ଶ୍ରମ କାତର ବି

ଆଉ ଥୋକେ ଶ୍ରମଭୀରୁ

ଶ୍ରମିକ କଦାପି ବେକାର ନୁହଁଇ

ଶ୍ରମେ ଶ୍ରଦ୍ଧା ଥିବା ଯାଏ।।


ଶ୍ରମିକ ଦିବସ ସବୁରି ଅନ୍ତରେ

ଶ୍ରମ ଇଛାଶକ୍ତି ଭରୁ

ଶ୍ରମ ହେଉ କର୍ମ ଶ୍ରମ ହେଉ ଧର୍ମ

ଶ୍ରମଶକ୍ତି ଥିବା ଯାଏ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational