STORYMIRROR

Kulamani Sarangi

Classics

2  

Kulamani Sarangi

Classics

ଶ୍ରୀରାଧାଙ୍କ ଅଭିସାର

ଶ୍ରୀରାଧାଙ୍କ ଅଭିସାର

2 mins
3.0K

ବାଣୀପୁତ୍ର ଗଦାଧର ସିଂହସାମନ୍ତ

(ଶ୍ରୀରାଧାଙ୍କ ଅଭିସାର)

.....................................

ଶ୍ରୀରାଧା ନିଜେ ସୌନ୍ଦର୍ଯ୍ୟର ଏକ ପୁଷ୍ପିତ ଉଦ୍ୟାନ।ସେ ନିଜେ ଅପୂର୍ବ ସୁଷମାର ଏକ ମଧୁଚକ୍ର।ସୁହାସିନୀ,ସୁଭାଷିନୀ,ପଦ୍ମଗନ୍ଧା

ଚମ୍ପକ ବରଣୀ,କେଳିପ୍ରବୀଣା,ଅଭିମାନିନୀ ଶ୍ରୀରାଧାଙ୍କର କୁଞ୍ଜବନରେ ଅନୁପସ୍ଥିତି ଶ୍ରୀକୃଷ୍ଣଙ୍କୁ ଅତିଷ୍ଠ କରିଛି।ସେ ଶ୍ରୀରାଧାଙ୍କର ଦୁଇ ପ୍ରିୟ ସଖୀ ଲଳିତା ଓ ବିଶାଖାଙ୍କୁ ପ୍ରଶ୍ନ କରିଛନ୍ତି "ଆଜି କଣ ରାଜିବାନନୀ କୁଞ୍ଜକୁ ଆସିବ ନାହିଁ?"ଶ୍ରୀକୃଷ୍ଣଙ୍କ ପ୍ରଶ୍ନର ଯେଉଁ ଉତ୍ତର ସଖୀଦ୍ବୟ ଦେଇଛନ୍ତି,ତାହା ବାଣୀପୁତ୍ର, ବିଦଗ୍ଧକବି ଗଦାଧରଙ୍କର ଶାଶ୍ବତ ଲେଖନୀରୁ ଅମୃତ ନିର୍ଝର ସୃଷ୍ଟି କରିଛି।ସେ ମଧୁ ଆସ୍ବାଦନ କରିବାପାଇଁ ଆପଣଙ୍କର କଣ ଇଚ୍ଛା ହେଉନାହିଁ ବନ୍ଧୁ?ମୋର ତ ଅଦମ୍ୟ ଇଚ୍ଛା ହେଉଛି।

******************************************

ଶ୍ରୀକୃଷ୍ଣଙ୍କପ୍ରତି ଲଳିତା ଓ ବିଶାଖା

............................................

ରାଜୀବାନନୀ ଆଜି ଆସିବଟି ହେ,

ଆସିବ ନାହିଁ ସେ ମହା ମହୀଧର

ଅଗାଧ ସିନ୍ଧୁରେ ଭାସିବଟି ହେ।୦।

ଝଳି କୁନ୍ତଳାକୁ ଝିଙ୍କି ଆଣୁ ଆଣୁ,

ଝାଙ୍କିହୋଇ ଅଙ୍କେ ବସିବଟି ହେ,

ବସିବ ନାହିଁ ସେ,ରଣରଣ ତୁମ୍ଭ

ଚରଣେ ଶରଣ ପଶିବଟି ହେ।୧।

ଉତ୍କଣ୍ଠା ମାନସେ,ଥାପି ବକ୍ଷଦେଶେ,

ତା ପୀବର କୁଚ ଠେସିବଟି ହେ,

ଠେସିବ ନାହିଁ ସେ,ମଦନ ମଦକୁ

ବର୍ତ୍ତୁଳ ଶୀଳାରେ ପେଷିବଟି ହେ।୨।

ଚଳନ୍ତେ ଚନ୍ଦ୍ରମା ବପୁରେ,ଅପରି-

ଗଣିତ ମଣିତ ଘୋଷିବଟି ହେ,

ଘୋଷିବ ନାହିଁ ସେ କର୍ଣ୍ଣମିଳିନ୍ଦକୁ

ମକରନ୍ଦ ଦେଇ ପୋଷିବଟି ହେ।୩।

ଅପାଙ୍ଗରେ ଡୋଳା ଖେଳାଇ ସେ

କାଳ ପ୍ରମୋଦ ସୀମାକୁ କସିବଟି ହେ,

କସିବ ନାହିଁ ସେ ଅମୋଘ ବାଣରେ,

ନୀଳମଣି ଶାଣ ଘଷିବଟି ହେ।୪।

ଅଖଣ୍ଡ ସୁଖରେ ଦ୍ରବିଯାଇ ଖରେ

ପ୍ରତି ପ୍ରତିକରେ ମିଶିବଟି ହେ,

ମିଶିବ ନାହିଁ ସେ,ଅର୍ଦ୍ଧନାରୀଶ୍ବର

ଅପରୂପ ଛଟା ଦିଶିବଟି ହେ।୫।

କେଳି ଶେଷରେ ସେ ରତ୍ନଭୂଷାତେଜେ

ଲାଜେ ମନ୍ଦ ମନ୍ଦ ହସିବଟି ହେ,

ହସିବ ନାହିଁ ସେ ଇନ୍ଦୁ ମଣ୍ଡଳରୁ

ବିନ୍ଦୁ ବିନ୍ଦୁ ସୁଧା ଖସିବଟି ହେ।୬।

******************************************

ଟୀକା

........

ସଖୀଦ୍ବୟ କହୁଛନ୍ତି "ହେ ନଟବର! ରାଜିବାନନୀ(ପଦ୍ମ ମୁଖୀ) ରାଧା ଆଜି ନିଶ୍ଚୟ ଆସିବ।ଖାଲି ସେତିକି ନୁହେଁ,ତାର ଆସିବାଦ୍ବାରା ଅସମ୍ଭବ ସମ୍ଭବ ହେବ,ସତେଅବା ମହା ମହିଧର(ବିଶାଳ ପର୍ବତ)ଅଗାଧ ସିନ୍ଧୁରେ(ଅଥଳ ସମୁଦ୍ରରେ) ଭାସିବ।"।୦।

ଝଳିକୁନ୍ତଳାକୁ(କୁଞ୍ଚିତକେଶୀ ରାଧାକୁ) ତୁମେ ଝିଙ୍କି ଆଣୁ ଆଣୁ ଝାଙ୍କିହୋଇ ସେ ତୁମ କୋଳରେ ବସିବ।ସେ ବସିବ ନାହିଁ ଯେ ରଣରଣ(କନ୍ଦର୍ପ),ପରାଜୟ ଶଙ୍କା ହେତୁ ତୁମ ପାଦତଳେ ଶରଣ ପଶିବ ।୧।

ଉତ୍କଣ୍ଠା ମନରେ ତୁମ ବକ୍ଷଦେଶରେ(ଛାତିରେ) ତାର ପୀବର କୁଚ(ପୃଥୁଳ ସ୍ତନ)ସେ ଠେସିବ।ତାହା ସେ ଠେସିବ ନାହିଁ ଯେ,ମଦନ ମଦକୁ(କନ୍ଦର୍ପ ଦର୍ପକୁ)ବର୍ତ୍ତୁଳ ଶୀଳାରେ(ଗୋଲାକାର

ପଥରରେ) ପେଷିବ(ମର୍ଦ୍ଦନ କରିବ)।୨।

ତାର ବପୁରେ(ଦେହରେ)ଚନ୍ଦ୍ର ଚଳନ ହେତୁ(ରତିକାଳୀନ ରୋମାଞ୍ଚ ସୃଷ୍ଟି ହବାରୁ),ସେ ଯେଉଁ ମଣି ଘୋଷିବ (ମଣି ସଦୃଶ ରତିକାଳୀନ ଅବ୍ୟକ୍ତ ଭାଷା),ତାହା କର୍ଣ୍ଣମିଳିନ୍ଦକୁ(କର୍ଣ୍ଣଭ୍ରମରକୁ

)ମକରନ୍ଦ(ଫୁଲମଧୁ)ଦେଇ ଆନନ୍ଦିତ କରିବ।୩।

ଅପାଙ୍ଗ ଡୋଳା(ଚକ୍ଷୁଡୋଳା)ଖେଳାଇ ସେ କାଳ ପ୍ରମୋଦ ସୀମାକୁ(ରତିକାଳୀନ ରୋମାଞ୍ଚର ସୀମା ବା ଦୀର୍ଘତାକୁ)କସିବ(ମାପିବ)।ତାହା ସେ କରିବ ନାହିଁ ଯେ ତା ପାଖରେ ପ୍ରିତିର ଯେଉଁ ଅମୋଘ ବାଣ(ତୀର) ଅଛି,ତାକୁ ତୁମର ନୀଳମଣି ସଦୃଶ ବପୁ ପଥରରେ ଶାଣଦେବ।।୪।

ଅଖଣ୍ଡ ସୁଖରେ ଦ୍ରବିତ ହୋଇ ସେ ତୁମର ପ୍ରତି ପ୍ରତିକରେ(ଅବୟବରେ)ନିଜ ଶରୀରକୁ ମିଶାଇ ଦେବ।ସେ ସମୟରେ ଅର୍ଦ୍ଧନାରୀଶ୍ବରର ଛଟା ପ୍ରତିଭାତ ହେବ।୫।

କେଳି ଶେଷରେ ତାର ଦେହରେ ଥିବା ରତ୍ନଭୂଷା(ସ୍ବର୍ଣ୍ଣାଳଙ୍କାର

)ଆଲୋକରେ ସେ ମନ୍ଦ ମନ୍ଦ ହସିବ।ହସିବ ନାହିଁ ଯେ ତାର ମୁଖେନ୍ଦୁ ମଣ୍ଡଳରୁ ବିନ୍ଦୁ ବିନ୍ଦୁ ହୋଇ ଅମୃତ ସତେ ଅବା ଝରିପଡିବ।

******************************************

କବି ପରିଚୟ

**********

*ଗଦାଧର ସିଂହସାମନ୍ତ ସାମନ୍ତ ଚନ୍ଦ୍ରଶେଖରଙ୍କର ମଧ୍ୟମ ପୁତ୍ର

*ଜନ୍ମ-----୧୮୭୭ ମସିହା,ତିରୋଧାନ----୧୯୬୪ ମସିହା

*ଜ୍ୟୋତିଷ ଶାସ୍ତ୍ରରେ ପ୍ରବୀଣ;ରୀତି ଯୁଗୀୟ କବିତା ରଚନାରେ ସିଦ୍ଧହସ୍ତ।

*କୃତି----ପ୍ରବନ୍ଧ ପଞ୍ଚାମୃତ(ଭାଗ ୧ ଓ ୨)---ବର୍ତ୍ତମାନ ଦୁର୍ଲ୍ଭ।

******************************************



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics