ଶ୍ରୀକ୍ଷେତ୍ର ମଉଡମଣି କଳା ଶ୍ରୀମୁଖ
ଶ୍ରୀକ୍ଷେତ୍ର ମଉଡମଣି କଳା ଶ୍ରୀମୁଖ
ଶ୍ରୀକ୍ଷେତ୍ର ମଉଡମଣୀ କଳାଶ୍ରୀମୁଖ
ଚକାଆଖି ମେଲି ସାରା ଜଗତ ଦେଖ,
ଭୋଗୁଛି ମୁଁ...ଦିଅ ଯାହା ସୁଖ ବା ଦୁ଼ଃଖ
ନେଉଛି ଶରଣ ତୁମ ଚରଣେ ରଖ।
ତୁମେ ଦୟାମୟ ଆହେ ବିଶ୍ବବିହାରୀ
ତୁମ ବିନା କିଏ ଶୁଣିବ ମୋ ଗୁହାରି ?
ଆଣିଛ ସଂସାରକୁ ଅନୁଗ୍ରହ କରି
ତୁମେ ଆର୍ତ୍ତତ୍ରାଣ କୃପାସିନ୍ଧୁ ଦୈତାରୀ।
ଏ ଦୁନିଆଁରେ ଭରା ନିଆଁ ଆଉ ଧୂଆଁ
ପଥ ଭୁଲି ଯାଇ ହୁଏ ମୁଁ ଯେ ଛାନିଆଁ,
ମିଛ ମାୟାର ମୋହ ଲଗାଏ କିମିଆଁ
ଶକତି ଦିଅ ରହୁ ମଣିଷ ପଣିଆଁ।
ଶ୍ରୀକ୍ଷେତ୍ର ମଉଡମଣୀ କଳାଶ୍ରୀମୁଖ......
ବଡ଼ଦେଉଳର ତୁମେ ବଡ଼ଠାକୁର
ବଡ଼ଦାଣ୍ଡେ ଗଡ଼େ ନନ୍ଦିଘୋଷ ତୁମର,
ଅରକ୍ଷିତକୁ ସଦୟେ ଉଦ୍ଧାର କର
ତୁମେ ଦିନବନ୍ଧୁ ପ୍ରଭୁ ଦୟାସାଗର।
ବଡ଼ଭାଇ ବଳଭଦ୍ର ଭଗ୍ନୀ ସୁଭଦ୍ରା
ପତ୍ନୀ ମହାଲକ୍ଷ୍ମୀ ଅନ୍ନପୂର୍ଣ୍ଣା ଅଭୟା,
ତୁମେ ମହାବାହୁ ମୋ ଆଶ୍ରୟର ଛାୟା
ଆଶିଷ ଦେଇ ତୁମର କର ସୁଦୟା।
ଶ୍ରୀକ୍ଷେତ୍ର ମଉଡମଣୀ କଳାଶ୍ରୀମୁଖ......
ଦିବସ ରଜନୀକୁ କର ଆଲୋକିତ
ଜୀବନ ଫୁଲକୁ ମୋ କର ବିକଶିତ,
କୃପାରେ ତୁମ ସୃଷ୍ଟି ହୁଏ ମଧୁମିତ
କରୁଣା ନକରି ଊଣା ଢାଳ ସତତ।
ତୁମ ଶ୍ରୀପଦ ଯୁଗଳେ କରେ ପ୍ରଣାମ
ଭକ୍ତିଭାବ ହୃଦେ ରଖି ସାରା ଜନମ,
ସୁନ୍ଦର ଆନନ୍ଦମୟ ଏ ଧରାଧାମ
ତୁମରି ମହିମାରେ ହେଉ ସ୍ଵର୍ଗ ସମ।
ଶ୍ରୀକ୍ଷେତ୍ର ମଉଡମଣୀ କଳାଶ୍ରୀମୁଖ......
