ଶ୍ରାବଣ
ଶ୍ରାବଣ
ଟୁପୁରୁ ଟୁପୁରୁ ମେଘ ବରଷିଲା
କେଶୁର ମାଇଲା ଗଜା,
ଶ୍ରାବଣ କହିଛି ମେଘ ଆଣିବଲୋ
ସଜନୀ ସଜ ହୋଇଯା ।
କଳା କଳା ମେଘ ଗଗନରେ ନାଚେ
ବିଜୁଳି ଦିଶଇ ତୋରା,
ଘଡ ଘଡ଼ ଘଡ଼ ଘଡଘଡି ଶୁଭେ
ମଳିନ ପଡିଲା ଖରା ।
ଧୋବ ଫର ଫର ବଗ ବଗୁଲି ଯେ
ଆକାଶେ ଯାଆନ୍ତି ଉଡି,
ଝର ଝର ଝରେ ଶିରାବଣ ଧାରା
କୁଳ ଲଂଘେ ନଇ ବଢ଼ି ।
ଚାଷ ତରତର ବଣିଜ ମଠ ଲୋ
ଏ ଯେ ବଡ ପୁରୁଷ ର ବାଣୀ,
ସାରୁ ଗଛ ମୂଳେ ବେଙ୍ଗ ବେଙ୍ଗୁଲି
ନାଚନ୍ତି ସାଜି ରାଜା ରାଣୀ ।
ନାଲି ଟୁକୁ ଟୁକୁ ସାଧବ ବୋହୂ ଲୋ
ଘାସ ଗାଲିଚାରେ ଉଭା,
ପ୍ରେୟସୀ ର ମନ ଆଜି ଛନ ଛନ
ମୁଖ ମଣ୍ଡଳେ ତା ଆଭା..!!
କଳା ମେଘ ଦେଖି ମୟୁର ମୟୂରୀ
ନୃତ୍ୟ ରଙ୍ଗେ ଛନ୍ତି ମାତି,
କଥା ଦେଇଛନ୍ତି ପ୍ରେମିକ ଆସିବେ
ପ୍ରେମିକା ଦେହେ ବଢେ ତାତି ।
ଧାରା ଶ୍ରାବଣ ଯେ ଲହଡି ଭାଙ୍ଗୁଛି
କର୍ଣ୍ଣେ ଶୁଭେ ଶିବ ନାମ,
କୁମାରୀ ଚାହୁଁଛି ସୁନ୍ଦର ବରଲୋ
ଯାଏ ମହାଦେବଙ୍କର ଧାମ।