ଶଙ୍କରାଭରଣ
ଶଙ୍କରାଭରଣ
ବିଶ୍ଵ ବ୍ରହ୍ମାଣ୍ଡ ବିହାରୀ ଆହେ ଭଗବାନ
ବିରାଜିତ ହୃଦ ପଦ୍ମେ, ଦିଅ ଦିବ୍ୟ ଜ୍ଞାନ
ଢାଳି ତବ କୃପା ବାରି
ସବୁରି ଅନ୍ତରେ ତୁମେ ରହିଅଛ ପୂରି।୧।
ସର୍ବ ଅନ୍ତର୍ଯ୍ୟାମୀ ସ୍ବାମୀ, ଜଗତ ଜୀବନ
ସଦାଚାରେ ବ୍ରତୀହୋଇ, ସଦା କାଟେ ଦିନ
ସଦା ସତ୍ୟେ ଲୟ କରି
ବିତୁ ମାେ ଜୀବନ ସତ୍ୟ ପଥ ଅନୁସରି।୨।
ଜଗତ ଜୀବନ ଜଗବନ୍ଧୁ ଜନାର୍ଦ୍ଦନ
ଦୟା, କ୍ଷମା ଗୁଣେ କର, ପ୍ରଭୁ ବିଭୂଷଣ
ଭକ୍ତି ଭାବେ ବଳୁ ମନ।
ଶାନ୍ତି,ମୈତ୍ରି,ପ୍ରୀତି ଭାବ କର ହେ ପ୍ରଦାନ।୩।
ଦୁରିତ ନାଶନ ଦୟାମୟ ଦୀନବନ୍ଧୁ
ଦିବ୍ୟ ଗୁଣେ ବିଭୂଷଣ, କର କୃପାସିନ୍ଧୁ
ଦୀନ ଅରକ୍ଷିତ ଜନ
ଦୟା ଭାବ ବହିବାରେ ସଦାବଳୁ ମନ।୪।
ଦୁଃଖୀ, ରଙ
୍କୀ, ଦରିଦ୍ର ସେବାରେ ଯାଉ ଦିନ
ସାର୍ଥକ କର ଜୀବନ, ଦେହ ମନ ପ୍ରାଣ
ସର୍ବ ଜୀବେ ଦୟା ବହି
ବିଚରଣ କରେ ସଦା ଆହେ ଭାବଗ୍ରାହୀ।୫
ପରଂବ୍ରହ୍ମ ପରାତ୍ପର ପରମ ଈଶ୍ଵର
ପରମାନନ୍ଦ ଆନନ୍ଦ ଜଗତ ଠାକୁର
ପଦ୍ମ ପାଦେ ଦିଅ ସ୍ଥାନ
ପତିତ ଜନ ତାରଣ, ପ୍ରଭୁ ପଦ୍ମାସନ।୬।
ଭକ୍ତବନ୍ଧୁ ଭାବଗ୍ରାହୀ ଭକତବଚ୍ଛଳ
ଭକତ ହୃଦ ଚନ୍ଦନ ଆହେ ଆଦିମୂଳ
ଭାବେ ବନ୍ଧା ଭଗବାନ
ଭାବଭୋଳେ ଭାଳେ ଭକ୍ତ ଭକତରଞ୍ଜନ।୭।
ସଚ୍ଚିଦାନନ୍ଦ ଆନନ୍ଦ ସତ୍ୟ ସନାତନ
ସତ୍ୟ ଶିବ ସୁନ୍ଦର ହେ ସତ୍ୟର ଭୂଷଣ
ସଦା ଝରୁ ସତ୍ୟଗିର
ସଦା ଆଶ୍ରା କରେ ଘନଶ୍ୟାମ ଶ୍ରୀପୟର।୮।