ଶିଶୁଦିବସ
ଶିଶୁଦିବସ
ଶିଶୁଟିଏ
ତା ଆଖିରେ ଦେଖୁଛି
ଆଜିର ସମାଜର
ଭାବଭଙ୍ଗୀ,
ତା ଆଖି ଆଗରେ
ଅନେକ ରାସ୍ତା
ବିକ୍ଷିପ୍ତ ଭାବରେ,
ଆଖିରେ ଅନେକ ସପନ,
କିଛି ସମାଧି ପାଇଛି,
ଅଣନିଶ୍ବାସୀ ସେ,
କିଛି ଆଶା ଆଉ କିଛି
ନିରାଶା ଭିତରେ,
ବିଶ୍ୱାସ ସହ ସାନ୍ତ୍ବନା ଥାଇ
ସ୍ବୀକୃତି ପାଇନି,
ସବୁକିଛି ଅଲୋଡା
ଅଖୋଜା ହେଇଛି ।।
ଆଜି ଚାଚା ନେହେରୁଙ୍କ
ଜନ୍ମ ଦିବସରେ
ସବୁ ଆଖିର
ଅଦୃଶ୍ୟ ସୀମାରେ,
ଲାଗୁନି ଶିଶୁଟିର
ବୌଦ୍ଧିକ ବିକାଶ ଘଟୁଛି !
କୋହକୁ ଚାପିରଖି
ଶୈଶବଟା କଟିଯାଏ
ମୃତ ବା ଜୀବିତ ତା'ର
ଅନିଛା ରେ;
ସେ ବୟସକୁ ଜୀଇଁବା
ପାଇଁ ବାଧ୍ୟ,
ସାନ୍ତ୍ବନା ନିଏ ବଞ୍ଚିଯିବ
ଓଳିଏ ଖାଇ,
ଦି ଟୋପା ଲୁହକୁ ଶୁଖାଇ,
ଅଭିଶପ୍ତ ପରି ଅନିଦ୍ରା
ରହିବାର ଅପ ଚେଷ୍ଟା କରୁଛି,
ଖାଇବାର ଅଝଟପଣ
ଶୈଶବରେ ଛପିଯାଇଛି
ଅତୀତ ବି ଅନିଦ୍ରାରେ
ଲୁହ ଆଉ ଲହୁ ସବୁ
ସତେଜ ହୋଇଉଠେ ଆଜି।।
ଆଜିବି ଶିଶୁଟିଏ
କାହା କୋଳରେ
କିଣାବିକା ହୁଏ,
ଜାଗାଟିଏ ଖୋଜେ
ଅଭାବର ସଂଗ୍ରାମରେ,
ଶାନ୍ତିରେ ଶୋଇବାକୁ
ଆଉ ଦି ଓଳା ଖାଇବାକୁ ।।
ଆଖି ଖୋଜେ, ସ୍ବୀକୃତି ଚାହେଁ
କାହାଘର ପୁଅ ଅବା
ଝିଅଟିଏ ହେବାପାଇଁ
ହେଉ ପଛେ ପାଳିତ,
କିନ୍ତୁ ନହେଉ ଅବହେଳିତ
ବଞ୍ଚିବାକୁ ଦୁନିଆ ଦୁଆରେ,
ଆଜି କାଲି ଶିଶୁ ଦିବସର
ଆଲୋଚନା ପର୍ଯ୍ୟାଲୋଚନା
ବଢିବଢି ଚାଲେ,
କେତେ କେତେ ଶିଶୁକନ୍ୟା
ଦୁନିଆ ଦେଖେନି,
ପୁଣି କେଉଁଠି ଶିଶୁଟିଏ
ଶ୍ରମିକ ସାଜି
ପେଟ ପାଇଁ ବିକ୍ରି ହୁଏ ।।
କେମିତି ପାଶୋରି
ଯାଉଛୁ ଯେ, "ଆଜିର ଶିଶୁ କାଲିର ନାଗରିକ" ବୋଲି,
ତା ଆଖିର ସପନକୁ
ସାକାର କରିବାକୁ,
ଆସ!!
ସମସ୍ତେ ହାତରେ
ହାତ ମିଶାଇବା!!
ସମସ୍ତ ଶିଶୁଙ୍କୁ
ସାକ୍ଷର କରିବାର
ଗୁରୁଦାୟିତ୍ଵ ବହନ କରିବା,
ତା ଜୀବନକୁ ନିଜେ
ବଂଚିବାର କଳାକୁ ଶିଖେଇବା,
ଶିଶୁଟିର ଉନ୍ନତ
ଭବିଷ୍ୟତ ଗଢିବା,
ଏହି ଶପଥ ଆମେ ଆଜିର ଶିଶୁଦିବସରେ ନେବା ।।