ଶିଶିର ରାତିର କବିତା
ଶିଶିର ରାତିର କବିତା
ଶାନ୍ତ ପଡ଼ିଅଛି ଧରାର ଜୀବନ ,
ଝରକା ସେପାରି ଝରଇ ଶିଶିର I
ଅଶାନ୍ତ, ଅନିଦ୍ରା ହୁଅଇ ନୟନ,
ଝରକା ଏପାରି ମନରେ ତିମିର I
ଆଜି କିଛି ପଦ ଝରିଛି କାଳିରେ,
ଆଜି କିଛି ଅର୍ଥ ଲୁଛିଛି କାଗଜେ I
ନିଶବ୍ଦ ରାତିର ଶୂନ୍ୟତା ଭିତରେ,
ବିସ୍ମୃତି କୋଳରୁ ସ୍ମୃତିଟେ ଉପୁଜେ I
ନଷ୍ଟ ଏକ ନୀଡ଼, ଭଙ୍ଗା ଏକ ଦ୍ରୁମ;
ବିଗତ ବସନ୍ତ ନିରେଖି ଦେଖୁଛି I
ଭରୁଛି ଶିଶିର ଛଳନାରେ ତୁମ,
ତହିଁରେ ଭିଜି ମୁଁ କବିତା ଲେଖୁଛି I

