ଶିକ୍ଷା ବ୍ୟବସ୍ଥା
ଶିକ୍ଷା ବ୍ୟବସ୍ଥା
ସଦ୍ୟ ଅବସ୍ଥାରେ ସତରେ ଲାଗୁଛି ଶଙ୍କା
ଶିକ୍ଷା ବ୍ୟବସ୍ଥାର ମେରୁଦଣ୍ଡ ଏବେ ବଙ୍କା
ଘରୋଇକରଣ ପରିଣାମ ଦେଖ
ଡିଗ୍ରୀ ହୋଇଲାଣି ବିକା
ସହଜେ ମିଳୁଛି ଯାହା ପାଶେ ଅଛି ଟଙ୍କା ।
ଅନୁଷ୍ଠାନ କେତେ ଗଢିଲା ଗଗନଭେଦୀ
ମେଧାବୀ ଛାତ୍ରଙ୍କୁ ଦୁଆରୁ ଦିଅନ୍ତି ଖେଦି
ଉଚ୍ଚଶିକ୍ଷା ଆଜି ମେଧା ବଦଳରେ
ଅର୍ଥ ବଳେ ହୁଏ ଯଦି
ଆପଣା ଜିହ୍ବାକୁ ଆପେ ହିଁ ରଖିଛୁ ଛେଦି ।
ଅଳ୍ପମାତ୍ର ଯାହା ଅଛି ସରକାରୀ ନାମେ
ବୈଷୟିକ ଶିକ୍ଷା ମିଳୁଛି ଅଧିକ ଦାମେ
ଅର୍ଥ ଅଭାବରୁ ବୁଦ୍ଧିମତା ଥାଇ
ନଲାଗେ ଗରୀବ କାମେ
ସତେକି ଏମିତି ବିକାଶ କରିବା ଆମେ ?
ବ୍ୟବସ୍ଥା ଯେମିତି ଚାଲିଛି ଆଗକୁ ବଢି
ପ୍ରସ୍ତୁତି ନଥାଇ କିଏ ବା ପାରିବ ପଢି
ତାଲିମ ନାଆଁରେ ଶୋଷଣ ଚାଲିଛି
ଅନୁଷ୍ଠାନ ମାନ ଗଢି
କେତେ ବଣମଲ୍ଲୀ ଅକାଳେ ଯାଆନ୍ତି ଝଡି ।
ବିଷମ ସଙ୍କଟେ ପଡିଛି ଦେଶର ଶିକ୍ଷା
ଅଗ୍ରଗତି ପାଇଁ ଧନ ହେଲା ମାତ୍ର ଦୀକ୍ଷା
ତେଲ ଅଭାବରୁ କଦବା କେଉଁଠି
ଜଳେ କି ଦୀପକ ଶିଖା
ଗରୀବ ମେଧାବୀ ସଡକେ ମାଗଇ ଭିକ୍ଷା ।
