ଶୀତ ରାତି
ଶୀତ ରାତି
ଶୀତ ରାତିଟା ସାରା ଅନ୍ଧାର ମୂଲକକୁ
ହାତ ମୁଠାରେ ଧରିଥାଏ ଶକ୍ତଭାବେ ଜାବୁଡ଼ି
ଆତଙ୍କବାଦର ଏକଛତ୍ର ଶାସନ ଚଳାଇ ତାର
ସହି ହୁଏନା କି କରି ହୁଏନା ପ୍ରତିବାଦ
ନିସ୍ତବ୍ଧ ଶୂନଶାନ୍ ଲାଗେ ଅଗଣା ବାହାର
ବାହାରକୁ ବାହାରିଲେ ତା' ଆତଙ୍କରେ
ଆପାଦ ମସ୍ତକ ଯାଏ ବରଡ଼ା ପତ୍ର ପରି ଥରି
ଯଦିଓ ଆତ୍ମରକ୍ଷା ପାଇଁ ସାରା ଦେହକୁ
ଘୋଡ଼ାଇ ରଖିଥାଏ ଶୀତପ୍ରୁଭ୍ ଗରମ ପୋଷାକ
ଘର ଭିତରଟା ବି ଲାଗେ ଏକଦମ୍ ଖାଁ ଖାଁ
ବେଳକୁ ବେଳ ଶୁଭେ କାନେଇଲେ ଚୁପ୍ ଚାପ୍
ନିଦୁଆ ମଣିଷର ମାରୁଥିବା ଘୁଙ୍ଗୁଡି ଶବଦ
ଜାକି ରଖିଥାଏ ତାକୁ ବହଳ କମଳ ରେଜେଇ
ଭୁଲାଇ ଦିଏ ନିଦର ନିଶାରେ ବାହ୍ୟ ଜଗତ
ସପନମାନେ କେଜାଣି କେମିତି ଖଞ୍ଜରେ
ପଶି ଆସନ୍ତି ମନର ରାଇଜକୁ ଧାଡ଼ି ବାନ୍ଧି
ଅନୁପ୍ରବେଶକାରୀଙ୍କ ପରି ଅନୁଶାସନ ନମାନି
ହସାନ୍ତି ରସାନ୍ତି ଫସାନ୍ତି ଇଚ୍ଛାରେ ତାଙ୍କର
ବଡ଼ ଅଜବ ସେମାନେ ବୁଝନ୍ତି ନାହିଁ ପରିସ୍ଥିତି
କୁହୁଡ଼ିରେ ପହଁରିବାକୁ ଦିଅନ୍ତି ଅପୂର୍ବ ସୁଯୋଗ
ଆକାଶରେ ଉଡ଼ିବାକୁ ଲଗାଇ ଦିଅନ୍ତି ଡେଣା
ଶୀତ ରାତି ସରି ଆସେ କଡ଼ ଲେଉଟାଇ
ଖରା ଛାଇର ଖେଳ ଜମେ ହୁଏ କୋଳାହଳ
ଅନ୍ଧାର ହଟିଲେ ଦୂର ହୁଏ ତାର ଭୟ
ଜୀବନ ସାଉଁଟି ଧରିବାକୁ ଚାଲେ ଉଦ୍ୟମ
ଶୀତକୁ ନଡରି ତା ସହିତ ମିଳାଇ ନେଲେ ହାତ
ଭାବି ଜଣେ ହୃଦୟବାନ ଅତିଥି ବନ୍ଧୁଟିଏ
ରହେ ନାହିଁ ଶୀତରାତିର ଆଉ ଦୋରାତ୍ମ୍ୟ
ହସି ଦେଇ ସେ ମିଶେ ହୋଇଯାଏ ଏକାତ୍ମ...।
