ଶୀତ ରାଣୀ
ଶୀତ ରାଣୀ
ଶୀତ ରାଣୀ ଆସିଲାଣି ଲୋ ମିତଣୀ
ଶୀତ ରାଣୀ ଆସିଲାଣି
କାଶିଆ ମାଆର ମୁଣ୍ଡ ଉପରେ ଲୋ
ଚଡ଼କ ପଡି ଗଲାଣି।
କାଶୀ ବାପା ତାର ଦୁଇ ବର୍ଷ ହେଲା
ଚାଲିଗଲେ ସ୍ୱର୍ଗପୁର
ମଥାର ଉପରେ ନାହିଁ ତାର ଛାତ
ଘର ତା ନଡ଼ା ଛପର।
ଗଲା ବର୍ଷ ଘର କରିନି ଛାଉଣୀ
ବରଷାରେ ଗଳେ ପାଣି
ଦିନରେ ତା ଘରେ ଖରା ଦେଖୁଅଛି
ରାତି କାଟେ ତାରା ଗଣି।
ରେଜେଇ କମ୍ବଳ ନାହିଁ ଯେ ତାହାର
ଅଖାରେ ଚଳେ ତା କାମ
ମସିଣା ଟି ଥିଲା ଏବେ ଚିରିଗଲା
ବୁଦ୍ଧି ହୋଇଲାଣି ଭ୍ରମ।
କୋଠା ଘର ପାଇଁ କରିଛି ଗୁହାରୀ
ସରପଞ୍ଚଙ୍କୁ ସେ ଯାଇଁ
କମ୍ବଳ ଗୋଟିଏ ମିଳିଯିବ ଯଦି
ଖୁସି ହୋଇ ଯିବ ସେହି।
ଦେବେ ବୋଲି କହୁଛନ୍ତି ସରପଞ୍ଚ
ଦୁଇ ବରଷ ହେଲାଣି
ଦଉଡ଼ି ଦଉଡ଼ି କାଶିଆ ମାଆର
ମନ ଘର ଧରିଲାଣି।
କାଶୀ ବାପା ଥିଲେ ବଣମୁଲକରୁ
ଆଣୁଥିଲେ କାଠ ଭାର
ଧୁନି ଲଗାଇକି ଶୋଇ ଯାଉଥିଲେ
ଶୀତ କୁ ନ ଥିଲା ଡର।
ଶୁଣି ତାର କଥା ହଜିଲା ମୋ ଚେତା
ଲୋକ କେତେ ଦୁଃଖେ ଛନ୍ତି
କଚା ଘର ସବୁ ହେବ ପକ୍କାଘର
ସରକାର କହୁଛନ୍ତି।
ଆସ ଲୋ ମିତଣୀ ଆମେ ଦୁଇଜଣ
ଆଜି ବଜାରକୁ ଯିବା
କାଶିଆ ମାଆର ପାଇଁ ଏକ ଭଲ
କମ୍ବଳ କିଣି ଆଣିବା।
ବାପାଙ୍କୁ କହିବି ଆମ ଏକ ଘର
ଦେବେ କିଛି ଦିନ ପାଇଁ
ଭୋଟବେଳକୁ ନେତାଙ୍କୁ ଦେବା ଲୋ
ତାହାର ଘର ଦେଖାଇ।
ଜୀବନରେ ବେସାହାରା ଲୋକଙ୍କୁ ଲୋ
କିଛି ସାହାଯ୍ୟ କରିଲେ
ଜୀବନ ଆମର ଧନ୍ୟ ହୋଇଯିବ
ଆଶୀର୍ବାଦ ଟିକେ ଦେଲେ।