ଶୀତ ଦିନର ସନ୍ଧ୍ଯା
ଶୀତ ଦିନର ସନ୍ଧ୍ଯା
ଶୀତର ଆଶ୍ଳେଷେ ଦେହ ଥରି ଯାଏ
ଚାଲି ଚାଲି ଯିବା ବେଳେ
ରାସ୍ତାରେ ଘାଟରେ କେତେ ଦୃଶ୍ୟରାଜି
ମନରେ ଛାପ ପକାଏ ।
ମୟୂରଭଞ୍ଜ ର ପାହାଡ଼ ଜଙ୍ଗଲ
ଅପୂର୍ବ ତାହାର ଶୋଭା
ଶୀତ ଦିନର ବି ଶୋଭା ମନୋହର
ପତରେ ମୁକୁତା ଭରା ।
ସୁରୂଜ ଡ଼ୁବଇ ପାହାଡ଼ କୋଳରେ
ତର ବର ହୋଇ କରି
ପାହାଡ଼ ଏପଟୁ ହେମାଳ ଛୁଟଇ
ଜଙ୍ଗଲ ପାହାଡ଼ ଦେଇ ।
ଗାଁରେ ସାହିରେ ତା ପରଶ ଦେଇ
ଥରାଇ ଦିଅଇ ଦେହ
ଝୁମ୍ପୁଡ଼ି ଘରରେ ରହି ହୁଏ ନାହିଁ
କି ହନ୍ତ ସନ୍ତ ମଣିଷ ।
କାମରୁ ଫେରଇ ଶ୍ରମିକ ପୁଣି ଯେ
କୃଷକ ଫେରେ କ୍ଷେତରୁ
ଘର ପରିଷ୍କାର ଦୁଆର ନିର୍ମଳ
ହୋଇଥାଏ କେତେବେଳୁ ।
ନିରୀହ ସରଳ ଆଦିବାସୀ ସେତ
ମନରେ ନାହିଁ ବିକାର
ଖୁସୀ ଆନନ୍ଦରେ ପ୍ରତି ଦୁଆରରେ
ଜଳୁଥାଏ କାଠ ଗଡ଼ ।
ଶୀତର ସନ୍ଧ୍ୟାରେ ନିଆଁ ଜାଳି ପୁଣି
ଚାରିପଟେ ଖୁସୀ ଗପ
ଦୁଃଖ ସୁଖ ପୁଣି ବାଣ୍ଟି ଦେଉଥାନ୍ତି
ମନେ ନ ଥାଏ ସନ୍ତାପ ।
ମାଣ୍ଡିଆ ଜାଉ ତ ପେଟ ଉପକାରୀ
ପାଖରେ ହାଣ୍ଡିଆ ହାଣ୍ଡି
ଶୁଖୁଆ ଚଟଣୀ ପାଟି ସୁଆଦିଆ
ମନେ ଟିକେ ଖେଦ ନାହିଁ ।
ଦିନ ଯାକର ଯେ ଖଟଣୀର କଷ୍ଟ
ଭୁଲିବାକୁ ଚେଷ୍ଟା କରେ
ରାତି ଘନେଇଲେ କାଠଗଣ୍ଡି ଧରି
ଘରେ ଜାଳି ଶୋଇଯାଏ ।
ଶୀତ ସନ୍ଧ୍ୟା ଅଟେ କାହା ପାଇଁ ପୁଣି
ଉପଭୋଗ୍ୟ ସନ୍ଧ୍ୟା ଟିଏ
କାହା ପାଇଁ ଅଟେ ସ୍ପର୍ଶ କାତର ଯେ
ସମସ୍ୟାରେ ଛନ୍ଦି ଦିଏ ।
ତଥାପି ଶୀତର ସନ୍ଧ୍ୟାଟି ଅଟଇ
ଉପଭୋଗ୍ୟ ସର୍ବ ଜନେ
ସୁନ୍ଦରତା ତାର ମନ ମୋହୁ ଥାଏ
ସବୁଜ ବିପଣୀ ଜମେ ।