ନିଦାଘ କାଳ
ନିଦାଘ କାଳ
ନିଦାଘ ଡାକଇ ବରଷାକୁ ପୁଣି
ମାଟି ବେଉଷଣ ନିଦାଘେ ହୁଏ
ଷଡ଼ଋତୁ ମଧ୍ୟେ ମୁଖ୍ୟ ଏକ ଋତୁ
ସଭିଙ୍କ ଜୀବନେ ଆସି ଯେ ଥାଏ |
ପରବ ପର୍ବାଣୀ ଋତୁକୁ ନେଇ ଯେ
ଜୀବନ ବଂଚିବା ଇସାରା ଦିଏ
ହେଲେ ଏ ନିଦାଘ କେତେ ସାଙ୍ଘାତିକ
ଯନ୍ତ୍ରଣା ଦଗ୍ଧ ଯେ ମଣିଷ ହୁଏ ।
ନିଦାଘ କାଳ ତ କାୟା ବିସ୍ତାରୁଛି
ଅନ୍ୟ ଋତୁଙ୍କ ର ଆୟୁଷ କମେ
ଅଗ୍ନି ବରଷୁଛି ଆକାଶରୁ ପରା
ଜୀବନ ତ ଏଠି ଯନ୍ତ୍ରଣା ଭୋଗେ ।
ନିଦାଘ କାଳ ତ ଦିନୁ ଦିନ ତାର
ପ୍ରକୋପ ବଢ଼ାଏ ବିନା ଦ୍ବିଧାରେ
ଖରା ନୁହେଁ ପରା ଅଗ୍ନିର ବରଷା
ସତେ ପ୍ରତିଶୋଧ ନେଉଛି ସିଏ |
ଏ ନିଦାଘ କାଳ ଦେଖି ମନେ ଭୀତି
ଅଂଶୁମାନ ସତେ ରାଗି ଅଛନ୍ତି
ବୃକ୍ଷ ଲତା ଠାରୁ ମଣିଷ ପର୍ଯ୍ୟନ୍ତ
ସର୍ବେ ହନ୍ତସନ୍ତ ହେଉ ଯେ ଛନ୍ତି ।
ନିଦଘେ ମଣିଷ ଅବସ୍ଥା ନିରେଖି
ସତେ ସୂର୍ଯ୍ୟଦେବ କହୁ ଅଛନ୍ତି
ନିଜ ହାତେ ଜିହ୍ବା ନିଜେ ତୁ କାଟିଛୁ
କିଏ ଅଛି କହ ତୋ ପ୍ରତି ବାଦୀ !
ବଂଚିବା ପାଇଁ କି ସଂଚିବା ଶିଖିଲୁ
ପ୍ରକୃତିର ମାନ ରଖିଲୁ ନାହିଁ
ନିଜ ସ୍ୱାର୍ଥ ପାଇଁ ରେ ମଣିଷ ଜାତି
ପ୍ରକୃତିକୁ କଲୁ ଟାଙ୍ଗରା ଭୂଇଁ ।
ସୂର୍ଯ୍ୟଦେବ ତାଙ୍କ ପ୍ରଚଣ୍ଡ କିରଣେ
ସତେ ଦେଉଛନ୍ତି ଚରମ ଶାସ୍ତି
ମଣିଷ କି ସତେ ବୁଝୁଛି ଏ କଥା
ତା ପତନ ବେଳା ଆସି ଯାଇଛି ।
ନିଦାଘେ ମିଳୁନି ପଥିକକୁ ଛାୟା
ଜଳ ଉତ୍ସ ଆଜି ଶୂନ୍ୟ ଗରଭା
କେବେ ପଶି ଆସେ ଅଶାନ୍ତ ନିଦାଘ
କାଳ ବୈଶାଖୀ ଟା ଦୁଆରେ ଉଦ୍ଭା |
ଦିନୁ ଦିନ ପରା ନିଦାଘ ହେଉଛି
ପ୍ରତିଶୋଧେ ସତେ କିରଣ ଭରା
ଅଗ୍ନି ଅସ୍ତ୍ର ଧରି ଶୋଭାଯାତ୍ରା କରେ
ଜୀବନ ପାଇଁ କି ନାହିଁ ସାହାରା ।
ତାପ ର ପାରଦ ବଢ଼ି ବଢ଼ି କୁହେ
ହେ ମଣିଷ ଜାତି ସଜାଗ ହୁଅ
ବେଳ ଥାଉ ଥାଉ ନିଜ ଭୁଲ୍ ବୁଝି
ସୁଧାରିବା ପାଇଁ ଆଗେଇ ଯାଅ ।