ଶୀତ ଆଗମନ
ଶୀତ ଆଗମନ
ଶୀତ ଆସିଲାଣି ମାଡ଼ି ଲୋ ସଜନୀ
ଶୀତ ଆସିଲାଣି ମାଡ଼ି
ରେଜେଇ କମ୍ବଳ ଖୋଲି ଦିଅ ସବୁ
ଶୋଇବା ହୋଇଣ ଘୋଡ଼ି |
ମଳିନ ଦିଶଇ ଭାନୁଙ୍କ କିରଣ
ଖରା ହେଉନାହିଁ ଟାଣ
ବିଛଣା ଛାଡ଼ିବା ଭାରି କଷ୍ଟ ଲାଗେ
ଚାହା ଟିକେ ବେଗି ଆଣ |
ଦେହ ପାଇଁ ବଡ଼ ହିତ ଲୋ ମିତଣୀ
ଖରାରେ ଯାଇ ବସିବା
କୁଟା ପତରରୁ କିଛି ବୋହି ଆଣ
ନିଆଁ ଜାଳି ସେକି ହେବା |
ବରଷା ତ ନାହିଁ ଜଳ ଟୋପା ପଡେ
ବସିଲେ ଗଛ ମୂଳରେ
ଘାସରେ କେମିତି କାକରର ବୁନ୍ଦା
ଦେଖ ଝଲ ମଲ କରେ |
ବାଡ଼ି ବଗିଚାରେ ଫୁଟିଲାଣି ଫୁଲ
ଗେଣ୍ଡୁ, ମନ୍ଦାର, ଟଗର
ଡାଲିଆ, ଜିନିଆ କି ସୁନ୍ଦର ଦିଶେ
ଗୀତ ଗାଉଛି ଭ୍ରମର |
ହାଟରେ ପରିବା ସୁଲଭ ହେଲାଣି
ବାଇଗଣ, ଭେଣ୍ଡି, ଜହ୍ନି
ଝୁଲା ଗୋଟେ ଦିଅ ବଜାରକୁ ଯିବି
ଆଣିବି କିଛିଟା କିଣି |
ବିଲରେ ପାଚିଲା ଧାନ ଲୋ ସଜନୀ
ହଳଦୀ ରଙ୍ଗରେ ଶୋହେ
ସକାଳୁ ସକାଳୁ ଗାଆଁ ଚାଷୀ ଭାଇ
ଦାଆ ଧରି ବେଗି ଯାଏ |
ବରଷ ଯାକର ପରିଶ୍ରମ କରି
ଫଳାଇଛି କ୍ଷେତେ ଧାନ
ବୋହି ଆଣି ତାକୁ ଖଳାରେ ରଖିବ
ଉଚ୍ଛନ୍ନ ହେଲାଣି ମନ |
ବଣଭୋଜି ପାଇଁ ଏ ଋତୁ ଉତ୍ତମ
ଶୀତରେ ଭ୍ରମଣ ସୁଖ
ମନ ଥିଲେ ଧନ ବୁଲେଇ ନେବି ଲୋ
ମନ କର ନାହିଁ ଦୁଃଖ |
ଶାମ୍ବ ଦଶମୀ ଟା ପାଖେଇ ଆସିଲା
ସାତଘଡି ବଢ଼ା ପାଇଁ
ଓଡ଼ିଆ ଘର ର ବଡ଼ ପରବ ଲୋ
ପିଠା, ମିଠା ବଢ଼ା ଯାଇ |
ଶୀତ ଦିନ ଭାରି ଆନନ୍ଦ ଦାୟକ
ଖରା, ବର୍ଷା କିଛି ନାହିଁ
ଶୋଇବା, ଖାଇବା ଭ୍ରମଣ କରିବା
ସବୁଥିରେ ଶାନ୍ତି ଥାଇ।
