ଶହୀଦର ସ୍ତ୍ରୀ ବିଧବା ନୁହଁ
ଶହୀଦର ସ୍ତ୍ରୀ ବିଧବା ନୁହଁ
ମରେ ନାହିଁ କେବେ ଶହୀଦ ଅମର
ଜ୍ଯୋତି ସେ ପ୍ରଜ୍ବଳମାନ
ଦିପ୍ତୀମାନ ସିଏ ଉଜ୍ଜ୍ବଳ ଜ୍ଯୋତିଷ୍କ
ସୁପ୍ରଭ ସଦା ଅମ୍ଳାନ ।
ଦେଶରକ୍ଷା ପାଇଁ ସମ୍ମୁଖ ସମରେ
ପାତି ଦେଇ ନିଜ ଛାତି
ଶମନ ସହିତ ଲଢେ ରଣବୀର
ସଜଗ ସେ ଦିବାରାତି ।
ମରେ ଅବା ମାରେ ସମର ଭୂମିରେ
ଦିଏ ନାହିଁ ପଛଘୂଞ୍ଚା
ଢାଳି ଦେଇ ରକ୍ତ କରେ ପ୍ରାଣପାତ
ଯୋଦ୍ଧା କରେ ଦେଶ ରକ୍ଷା ।
ଯାଏ ନାହିଁ ବୃଥା ବଳିଦାନ କେବେ
ଶହୀଦଙ୍କ ଆତ୍ମୋତ୍ସର୍ଗ
ସ୍ବର୍ଣିମ ଅକ୍ଷରେ ହୁଏ ଲିପିବଦ୍ଧ
ଅନନ୍ଯ ତ୍ଯାଗ ମହାର୍ଘ ।
ଧନ୍ଯ ମାତାପିତା ଯା କୋଳେ ଜନମି
ସନ୍ତାନ ହୁଏ ଶହୀଦ
ଶହୀଦଙ୍କ ପତ୍ନୀ ସଦା ସୀମନ୍ତିନୀ
ତାଙ୍କୁ ଶତ ଧନ୍ୟବାଦ ।
ସିଏ ଜ୍ଯୋତିର୍ମୟୀ ଶକ୍ତି ସ୍ବରୂପିଣୀ
ଅବଳା ନୁହଁ ବିଧବା
ସୁକର୍ତ୍ତବ୍ଯ ସଦା ଆଦର ସମ୍ମାନେ
ଯତ୍ନେ ତାଙ୍କୁ ଖୁସି ଦେବା ।
ସେ ବୀର ରମଣୀ ଲକ୍ଷ୍ମୀ ସୁଲକ୍ଷଣୀ
ମହିୟସୀ ପୂଜନୀୟା
ଋଣୀ ତାଙ୍କ ପାଶେ ଜାତି ଓ ସମାଜ
ତ୍ଯାଗେ ସେ ଅତୁଳନୀୟା ।
