ଶେଷପର୍ବ
ଶେଷପର୍ବ
ସନ୍ଧ୍ୟା ନଇଁଲା ଜହ୍ନ ଉଇଁଲା
ତାରାଫୁଲ ସବୁ ବିଛେଇ ପଡିଲେ
ମଉଜେ ମଜ୍ଜିଲ ତୁମେ
ମୋ ଆଖିରେ ଖାଲି ଅନ୍ଧାର ଚହଟେ
ମୁଠାଏ ବି ଦାନା ପଡିନାହିଁ ପେଟେ
ଭୋକରେ ମୋ ଆଖି ଝୁମେ I
ତୁମଘରୁ ଶୁଭେ ଆନନ୍ଦର ରୋଳ
ମୋ ଆଖିରେ ଖାଲି ଲୁହର ସାଗର
ଦେଖି ମୁଁ ପାରେନି କିଛି
ଭୋକରେ ମୋପିଲେ ପାଣି ପେଟେ ପିଇ
ରାସ୍ତା କଡରେ ପଡିଛନ୍ତି ଶୋଇ
ଆଖି ବୁଜି ମିଛି ମିଛି I
ତୁମଘରେ ଚାଲେ ସୁରାର ଆସର
ନୀରୀଦେହେ ତୁମେ ଖେଳନିତି ଖେଳ
ମୋ ଦେହେ ରକତ ନାହିଁ
ଦିନସାରା ଖଟି ହରାଇଛି ବଳ
ସହି ପାରେନାହିଁ ପିଲାଙ୍କ ବିକଳ
ଭାବେ ବସିବସି ରାତିକିଆଁ ପାହୁନାହିଁ?
ତୁମ ଅନ୍ୟାୟର ପାପ ପୂଣ୍ୟର
ବିଚାର ହୋଇବ ଦିନେ
ତୁମ ସୁଖଦିନ ସରି ଆସିଲାଣି
ଭାବୁଛି ମୁଁ ମନେ ମନେ I
