ଶେଷ ଶୃଙ୍ଗାର
ଶେଷ ଶୃଙ୍ଗାର
ବାସ ଚହଟିବାର ସମୟ ଉପନୀତ
ମହ ମହ ବାସ୍ନାରେ ଚଉଦିଗ ବାସ୍ନାୟିତ
ଧୀରେ ଧୀରେ ମଧୁର ବାସ୍ନାର ସମ୍ମୋହନ
ସଭିଙ୍କୁ କରିଥିଲା ସମ୍ମୋହିତ ।
କେଉଁ ଏକ ଅଦେଖା ମୂହୁର୍ତ୍ତରେ
ଅବା ସୃଷ୍ଟି ସମ୍ଭାର ବେଳରେ
ବୀଜ ବପନ ହୋଇଥିଲା ?
ଅମୀମାଂସିତ ସେ ଜୀବନ ଧାରା
ବୃକ୍ଷରୁ ମଞ୍ଜି ନା, ମଞ୍ଜିରୁ ବୃକ୍ଷ ?
ତ୍ରିକାଳ ଦର୍ଶୀ ପ୍ରଭୁ ତ୍ରିଭୁବନ ସୃଷ୍ଟିକାରୀ
ବ୍ରହ୍ମା, ବିଷ୍ଣୁ, ମହେଶ୍ଵର ଧ୍ୟାନେ
ଉପବିଷ୍ଟ ହୋଇ କରନ୍ତି ବିଚାର
ନିଷ୍କର୍ଷ ଦୃଷ୍ଟାନ୍ତ ରୂପେ ଅବଲୋକିତ ।
ପଞ୍ଚଭୂତର ସମାହାରରେ
ଅଙ୍କୁରିତ ହେଲା ବୀଜ,
ବୀଜରୁ ଉତ୍ପନ୍ନ ହେଲା ବୃକ୍ଷ,
ବୃକ୍ଷରୁ ଶାଖା ପ୍ରଶାଖା,
ସମୟର କଡ ଲେଉଟାଣି ବେଳକୁ
ଶାଖାରୁ କଢିଟିଏ ଦୁନିଆ ଦେଖୁଥିଲା,
ସେ ପୁଣି ପତ୍ର ସଙ୍ଗେ
ପାଣି, ପବନ, ଉତ୍ତାପ ମେଳେ
ଲୁଚକାଳି ଖେଳ ଖେଳିବୁଲେ ।
ସୌନ୍ଦର୍ଯ୍ୟ ଭରା ପେନ୍ଥା ପେନ୍ଥା ଫୁଲରେ
ଫୁଲେଇ ହୋଇଯାଏ ତନୁ ମନ ତାର
ସମଗ୍ର ତନୁ ଭାରି ପଣରେ ନତମସ୍ତକ
ଲାଜରେ ଶରମିଯାଏ ଅବୟବ
ବାସ ଚହଟୁଥାଏ ଶହ ଶହ କୋଷ ।
ପଲ ପଲ ଭଅଁର ପାଗଳ ହୁଅନ୍ତି
ବେଳ ଅବେଳରେ ଘେରି ଯାଆନ୍ତି
ତାର ମଧୁର ଚୁମ୍ବନ ଟିକକ ପାଇଁ
କେତେ ରକମର ବାହାନା କରନ୍ତି ।
ସେ ଯେବେ ମଉନାବତୀ ସାଜେ
ଗାଇଯାନ୍ତି ଛୁପି ଛୁପି ତା କାନେ
ସପ୍ତସ୍ଵର ରେ ସଂଜୀବିତ ସେହି
ପ୍ରିତୀପ୍ଳୁତ ପ୍ରେମର ମଧୁର ଆଳାପ ।
ଲାଜେଇ ମୁହଁର ଓଢଣୀ ତଳୁ
ରଙ୍ଗ ବେରଙ୍ଗର ପାଖୁଡା ଆଢୁଆଳୁ
ଧୀରେ ଧୀରେ ଶୋଷି ନିଅନ୍ତି
ପିଆଲା ଭରା ସଞ୍ଚିତ ମଧୁ ତା କୋସରୁ ।
କାହିଁକି ବା ସେ କଢିରୁ ଫୁଲ ହେଲା
ପୁଣି ମହ ମହ ବାସ ଚହଟେଇଦେଲା
ସବୁକିଛି ଅଘଟଣ ଘଟିଗଲା ପରେ
କାଲିଯାଏ ଯିଏ ମହ ମହ ବାସୁ ଥିଲା
ସେ ଏବେ ବାସରୁ ବାସି ପାଲଟିଗଲା ।