STORYMIRROR

Goutam Mohanty

Romance Tragedy Fantasy

3  

Goutam Mohanty

Romance Tragedy Fantasy

#ଶେଷ_ପ୍ରଶ୍ନ..?************

#ଶେଷ_ପ୍ରଶ୍ନ..?************

1 min
203


ଥରେ ପ୍ରାସାଦରୁ ବାହାରି

ନିଜ ରାଜଦାଣ୍ଡ ସାମ୍ନାରେ ନିରେଖି ଦେଖ...

ଅନେକ ଥର ତୁମ ଆଡେ ଆସି

ପୁଣି ପ୍ରସ୍ଥାନ କରିଥିବା କ୍ଲାନ୍ତ ପାଦ ଚିହ୍ନଟିଏ

ବେଶ୍ ଜଳଜଳ କରି ଦିଶୁଥିବ..!


ଆଉ ଟିକିଏ ଆଗକୁ

ପାଦ ତୁମର ଅଗ୍ରସର କରି ଦେଖ

କିଏ ରଖିଦେଇ ଚାଲିଯାଇଛି

କୁଞ୍ଜବନରୁ ଆଣିଥିବା ଶେଷ ମଲ୍ଲୀଫୁଲ..!


ଆଶ୍ଲେଷରେ ସେ ଫୁଲକୁ

ଥରୁଟିଏ ଆଘ୍ରାଣ କରି ଦେଖ

ହୁଏତ ନିରୁଦ୍ଦିଷ୍ଟ ପ୍ରେମିକର ଅପେକ୍ଷାରେ

କୁଞ୍ଜବନ ପୁନର୍ବାର ଜୀଇଁ ଉଠିବ..!


ସେଇଠି ଟିକେ ନିରୀକ୍ଷଣ କରି ଦେଖିବ

ସଯତ୍ନରେ ଥୋଇଛି କେହି ମୟୁରର ଚୂଳ

ପୁଣି ଥୋଇଛି ତୁମେ ଖୋଜି ପାଉନ'ଥିବା

ନୀଳିମାମୟ ସମୟ ତଳର

ସେହି ସୁବର୍ଣ୍ଣ ବଂଶୀ...,,

ଭଲ କରି ଦେଖିବ

କେହି ଜଣେ ଯମୁନାର ଜଳରେ

ସେହି ସୁବର୍ଣ୍ଣ ବଂଶୀକୁ ପଖାଳି ଦେଇ

ଚକ୍ ଚକ୍ କରି ରଖିଦେଇଛି ।


ଯଦି ଆଉ ଧୈର୍ଯ୍ୟ ଥିବ ତୁମର

ତେବେ ଆଉ ଟିକିଏ ଆଗେଇ ଦେଖିବ

ହସ ଲୁହ ସମୟର ଅତୀତ ରେଖା

ପ୍ରେମ ବାଣ୍ଟୁଥିବା ଚିରସବୁଜ ପ୍ରେମିକଟେ

ସମସ୍ତଙ୍କ ଆଖିରେ ଆଖିଏ ପ୍ରେମ ଦେଇ

ଅକସ୍ମାତ ନିରୁଦ୍ଦିଷ୍ଟ ହେବାରେ

କିବା ତା' ହୃଦୟରେ ପୂର୍ଣ୍ଣ ହୋଇପାରେ

ନୀଳପ୍ରେମିକ ହେବାର ଅଭିପ୍ସା..?


ତୁମ ଲାଗି ମୁଖ୍ୟ ଦ୍ୱାରରେ

କେହି ପ୍ରସ୍ତୁତ କରି ରଖିଦେଇଛି

ପାତ୍ର ଭର୍ତ୍ତି ମେଞ୍ଚାଏ ଅଶ୍ରୁ ଜଳ

ଦୟାକରି ସେତକ ଅଶ୍ରୁରେ ପାଦ ଧୋଇନିଅ

ଏଥର ପରା ପ୍ରାସାଦକୁ ଫେରିବାର ବେଳ,

ଦେଖ ଶେଷରେ କେହି ଛାଡ଼ି ଯାଇଛି

ତୁମକୁ ପାଇବାର ଅନ୍ତିମ ପନ୍ଥାଟିଏ...


....'ନିଜ ଆତ୍ମାର ଶେଷ ଅବୟବ...'!!


ଅନ୍ତତଃ...

ସେତକ ସାଙ୍ଗରେ ନେଇ

ତୁମ ପ୍ରାସାଦକୁ ଫେରିଯାଅ...।


ହେ ରାଜାଧିରାଜ...


ମନରେ ମୋର

ସର୍ବଦା ଉଙ୍କିମାରେ ପ୍ରଶ୍ନଟିଏ

ପାରିବ ଯଦି 

ସେ ପ୍ରଶ୍ନଟିର ଥରୁଟିଏ

ଉତ୍ତର ଦେଇଯାଅ...


ଅନେକ ବାହାନାରେ ତୁମକୁ

କେତେକେତେ କରିବାକୁ ଚାହିଁଛନ୍ତି ନିଜର

କୁହ, ତୁମକୁ କି ଫୁରସତ କେବେ ନ'ଥାଏ

କାହା ଲାଗି ହେବାକୁ ପ୍ରେମିକ ଈଶ୍ବର..?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance