ଶେଷ ଫଗୁଣର ଚିଠି
ଶେଷ ଫଗୁଣର ଚିଠି
ହଜି ତ ଗଲଣି ମଳୟ ସମୀର
ଡହକୁଛି ଖରା ଝାଞ୍ଜି
ତରୁ ଶାଖା ଡାଳେ ଦେଖା ଯାଉ ନାହିଁ
ହଳଦୀ ବସନ୍ତ ଯୋଡ଼ି ।
ନାହିଁ ଆମ୍ର କୁଞ୍ଜ ବଉଳ ସୁବାସ
ଶୁଭୁ ନାହିଁ କୁହୁକୁହୁ
ଲେଖିଲିଣି ବହୁ ପତ୍ର ତ ତୁମକୁ
ଉତ୍ତର ମିଳୁନି ଆଉ ।
ଆମରି ଗାଁରେ ବସନ୍ତ ମିଳନ
ଦୋଳ ପୂର୍ଣ୍ଣିମା ପରବ
ହେଉ ନାହିଁ ଏବେ ଜାକଯମକରେ
ହୋରିଖେଳ ଫିକାରଙ୍ଗ ।
ଝଲସୁନି ରାଧାକୃଷ୍ଣଙ୍କ ବିମାନ
ତାରକସି ରୁପା କାମ
ଉଛୁଳୁନି ହରିବୋଲ ହୁଳହୁଳି
କୃଷ୍ଣ ନାମ ସକୀର୍ତ୍ତନ ।
ବଡ଼ ଦୁଖଃ ଲାଗେ ଦେଖି ପୁଣ୍ୟ ସ୍ଥାନ
ସାମ୍ପ୍ରତିକ ଦୁରାବସ୍ଥା
ଲଙ୍ଘିଛି ମଣିଷ ସୀମା ସରହଦ
ମାନୁନାହିଁ ବି ଦେବତା ।
ନାହିଁ ଆଉ ଆଗ ଭାବ ବା ବିଶ୍ୱାସ
ସ୍ୱର୍ଗୀୟ ଭାବନା ପ୍ରେମ
ମାନୁନାହିଁ ଲୋକ ସ୍ଥାନ କାଳ ପାତ୍ର
ଗୁରୁଜନ ଲଘୁଜନ ।
ଦେଖାଇ ହୁଅନ୍ତି ଜଗତେ କେବଳ
ବାହାରକୁ ଚାକଚକ୍ୟ
ଅନ୍ତରରେ ଭରା ବିଷ ହଳାହଳ
ରାଗ ଦ୍ୱଷ ହି୦ସା କୂଟ ।
ରହିଛି ମଉନେ ବିଷାଦ ମନରେ
ହୃଦୟ ଯାଉଛି ଫାଟି
ଜଣାଉଛି ପ୍ରିୟ ମରତ ଲୋକରୁ
ଶେଷ ଫଗୁଣର ଚିଠି ।

