STORYMIRROR

Tapaswini DashSarangi

Abstract Classics Inspirational

3  

Tapaswini DashSarangi

Abstract Classics Inspirational

ଶେଷ ଇଚ୍ଛା

ଶେଷ ଇଚ୍ଛା

1 min
187

ମନ ହୁଏ ହାଇଁପାଇଁ ଲୋ ବଉଳ

ମନ ହୁଏ ହାଇଁପାଇଁ

ଶ୍ରୀମନ୍ଦିରେ ଯାଇ ଚତୁର୍ଦ୍ଧାମୂରତି

ଦର୍ଶନ କରିବି ଯାଇ।


ପଚାରି ବୁଝିବି ଜଗତ ସାଇଁଙ୍କୁ

ତାଙ୍କ ସୁଖଦୁଃଖ କଥା

କାହିଁ ହଟହଟା କରିଲେ ଭକ୍ତଙ୍କୁ

ଦେଇକି ଅମାପ ବଥା।


ଭକ୍ତି ପୂତ ହୃଦେ ପ୍ରେମ କାଦମ୍ବରୀ

ମନରେ ଅସୀମ ଶ୍ରଦ୍ଧା

କେତେ ଅଭିଯୋଗ ଅଭିମାନ ସବୁ

ଛାତିରେ ହୋଇଛି ଛନ୍ଦା।


ସବୁକୁ ଏକତ୍ର କରି ମୁଁ ଧ୍ୟାୟିବି

ଚରଣ ଯୁଗଳ ଦ୍ଵୟ

କଳୁଷ ଯେତକ ଜୀବନେ ଅର୍ଜିଛି

ସବୁ ହୋଇଯିବ କ୍ଷୟ।


ଶେଷ ଇଚ୍ଛାଟିକୁ କହିବି ବଉଳ

ଜଗତନାଥଙ୍କ ପାଶେ

ସବୁ ଦେଇଛନ୍ତି କିଛି ନ'ମାଗି ମୁଁ

ମାଗିବା ମୋତେ ନ ଆସେ।


ଜନମ ଲଭିଛି ତାଙ୍କରି ଧାମରେ

ଧୂଳି ଖେଳ ତାଙ୍କ ଆଗେ

ସବୁ ସୁଖ ଶିରି ତାଙ୍କରି ଦାନ ଲୋ

ଯାହା ଅଛି ମୋର ଭାଗେ।


କର୍ମେ ମୋର ପ୍ରଭୂ ଯାହା ଲେଖିଛନ୍ତି

ରହିଛି ଦୂର ଦେଶରେ

ଦେହ ମୋର ଦୂରେ ମନ ତାଙ୍କ ପାଶେ

 ଅଛନ୍ତି ହୃଦ କନ୍ଦରେ।


ଜୀବନ ଖେଳ ମୋ ସରିଯିବ ଯେବେ

ବାହୁଡିବି ସଂସାରରୁ

ଦୁଇହାତ ଜାଗା ମିଳନ୍ତାକି ମୋତେ

ଶ୍ରୀକ୍ଷେତ୍ର ସ୍ଵର୍ଗଦୁଆରୁ।


ଏନ୍ତୁଡି ଯେଉଁଠି ଜଳିଥିଲା ମୋର

ଜଳନ୍ତା ଜୁଇର ନିଆଁ

ବିଦାୟ ନିଅନ୍ତି ମିଛ ସଂସାରରୁ

ଜପି କାଳିଆର ନାଁଆ।


ଏହି ଶେଷ ଇଚ୍ଛା ପୂରଣ ହୋଇଲେ

ଧନ୍ୟ ହୁଅନ୍ତା ଏ ଜନମ

ମାୟା ମୃଗ ପଛେ ଧାଇଁ ଧାଇଁ ଆଜି

ଭୂଲିଛି ପୂଣ୍ୟ କରମ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract