ଶବ୍ଦରୁ ସୃଜନ
ଶବ୍ଦରୁ ସୃଜନ
କାଗଜ ଡଙ୍ଗା
ଆମ ନାଳବନ୍ଧ କଚ୍ଚା ରାସ୍ତା
ମାଟି କାଦୁଅ ଜଡସଡ।
ସ୍କୁଲ ଯିବା ମଡ଼ା ବାଟ ହେଲେ
ବର୍ଷା ଦିନରେ ଯିବା କଷ୍ଟ।
କୋଉଠି ଖାଲ ,କୋଉଠି ଢିପ
କୋଉଠି ପୁଣି ଚିକିଟା ପଙ୍କ ।
କୋଉଠି ଆଣ୍ଠୁଏ ପାଣିରେ
ଘାଇରେ ପହଁରା ଶିଖ।
ବାଃ ରେ ,ବନ୍ଧ ଦୁଇ କଡ଼ର
ମଇଳାର ଦୁର୍ଗନ୍ଧ ଶୁଙ୍ଘ।
ଆଷାଢ଼ର ଆକାଶରେ କଳା ହାଣ୍ଡିଆ ମେଘ।
ଚାରିଆଡର ସବୁଜିମା ଭରା ଧାନର ଖେତ।
ପ୍ରାକୃତିକ ପରିବେଶ ଲାଗେ ସୁନ୍ଦର ଅନୁପମ।
ଖେତରେ ଚାଷୀ ଗାଉଥାଏ ମନ ଫୁଲାଣିଆ ଗୀତ।
ବିଲ ହୁଡାରୁ କାଇଁଚ ତୋଳୁଥାଏ ଚାଷୀ ମଉସା ଝିଅ।
ଆମକୁ କଣେଇ ଚାହିଁ ହସୁଥାଏ ମୁରୁକି ହସ।
ବେଳେ ବେଳେ ଘାଇରେ ସ୍କୁଲ ଯିବାକୁ ହୁଏନି ମନ।
ସେଦିନ ଆପେ ଆପେ ସ୍କୁଲ ଛୁଟି,
ବନ୍ଧ କଡ଼ରେ ବହି ବସ୍ତାନି ରଖ।
ଝିପିଝିପି ବର୍ଷାରେ କାଗଜ ଡଙ୍ଗା ତିଆରି କର।
ପୂର୍ବ ବର୍ଷ ଖାତାର ରଦି କାଗଜ।
କୁନି ହାତର ଯାଦୁକରୀରେ ବନିଯାଏ କାଗଜ ଡଙ୍ଗା କେଡେ ସୁନ୍ଦର ।
ଜ୍ବରରେ ପଡ଼ିବାର ନ ଥାଏ ଡର କି ଭୟ।
କାଗଜ ଡଙ୍ଗା ନାଳ ପାଣିରେ ଭସେଇ ଗାଉ ଆମେ ଗୀତ।
କାଗଜ ଡଙ୍ଗାରେ କାଗଜ ଡଙ୍ଗା ଭାସି ଭାସି ଯାଇ ମାମୁଁ ଘରେ ପହଞ୍ଚ।
ଝଡି ପାଗରେ ଆଈ କରିଥିବ ବେସର ଆଉ ଚିଙ୍ଗୁଡ଼ି ଝୋଳ।
ଖାଇ ପିଇ ଫେରିବା ଆମେ ବେଗି ସଅଳ।
ଯାହା ଡଙ୍ଗା ଆଗରେ ଯିବ ସିଏ ମାମୁଁ ଘରେ ଗେହ୍ଲା ହେବ।
ଚଷା ମଉସା ଡାକରେ ହୋସ ପଶିବ
ଯାଆରେ ପୁଅ,ଘରକୁ ଗଲେ ଡଙ୍ଗା ଭସା ସଉକ ଛାଡି ଯିବ।
ସେଦିନ ଉପସ୍ଥାନରେ ନାଁ କି ଥିବ।
ସନ୍ଧ୍ୟାରେ ସ୍କୁଲରୁ ଘରେ ଖବର ପହଞ୍ଚି ଯାଇଥିବ।
ଆଣ୍ଠୁ ରେ ଗୋଡ଼ି ରଖି ରାତି ସାରା ଆଣ୍ଠେଇ ଥିବ।
ଆଖିରୁ ଧାରା ଶ୍ରାବଣ ବରଷୁ ଥିବ।
ନାନୀ ମୋର ପଚାରୁ ଥିବ
ଆଉ ଗୋଟେ କାଗଜ ଡଙ୍ଗା ତିଆରି କରିବା ଚାଲ।
