ଶାନ୍ତି ଦୂତ ସତ୍ୟାର୍ଥୀ
ଶାନ୍ତି ଦୂତ ସତ୍ୟାର୍ଥୀ


ତୁମେ ଶାନ୍ତି ଦୂତ ବିରଳ ବ୍ୟକ୍ତିତ୍ୱ
ନୂଆ ଚେତନାର ଉତ୍ସ ।
ହୃଦୟେ ତୁମର ପ୍ରେମର ଝରଣା
ମନ ନିର୍ମଳ ଓ ସ୍ଵଛ ।୧।
ଗାନ୍ଧିବାଦୀ ନୀତି ଆଦର୍ଶ ନୟନେ
ପଥ ପ୍ରଦଶର୍କ ସାଜି ।
ସମାଜ ସଂସ୍କାର କୁସଂସ୍କାର ଦୂର
କର୍ମେ ଗଲ ତୁମେ ମଜ୍ଜି ।୨।
ଜାତିଭେଦ ପ୍ରଥା ଘୃଣା ଅସ୍ପୃଶ୍ୟତା
ଦରିଦ୍ର ଦଳିତ ଦୁଃଖ ।
ଦୂର କରିବାକୁ ତ୍ୟାଗ କଲ ତୁମେ
ପଦ ପଦବୀର ସୁଖ ।୩।
ଶିଶୁ ଶ୍ରମିକତା ଅବାଧ ଶୋଷଣ
ଦୁଃଖ ଯନ୍ତ୍ରଣାର ଦୃଶ୍ୟ ।
ମାନସେ ଭରିଲା ଅସହ୍ୟ ଯାତନା
ହୃଦୟକୁ କଲା ସ୍ପର୍ଶ ।୪।
ଶିଶୁଙ୍କ ଓଠରେ ହସ ଦେଖିବାକୁ
ସ୍ନେହ ପ୍ରେମ ବୀଜ ବୁଣି ।
ନିସ୍ୱାର୍ଥେ ବଢ଼ାଇ ସହାୟତା ହାତ
ଶିଶୁ ହୃଦ ନେଲ କିଣି ।୫।
ଶିଶୁ
ଅଧିକାର ଶିକ୍ଷାର ପ୍ରସାରେ
ଶାନ୍ତି ମଶାଲକୁ ଧରି ।
ଦେଶରୁ ବିଦେଶ ଯାତ୍ରା ଆରମ୍ଭିଲ
ସେବାକୁ ପାଥେୟ କରି ।୬।
ସାରା ବିଶ୍ୱ ପାଇଁ ଶାନ୍ତି ଅଭିଯାନ
ସମାଜ ସେବାର ବାର୍ତ୍ତା ।
ବିଶ୍ୱବାସୀଙ୍କର ହୃଦୟ ଜିଣିଲ
ନିଃସହାୟ ମୁକ୍ତି ଦାତା ।୭।
ତୁମେ ସତ୍ୟବାଦୀ ଅମ୍ଳାନ ପ୍ରତିଭା
ବିଜୟ ପଥର ଯାତ୍ରୀ ।
ତୁମ ଶାନ୍ତି ପ୍ରୀତି ଅକ୍ଷୟ ଜଗତେ
ଚିରଞ୍ଜିବୀ ତୁମ କୀର୍ତ୍ତି ।୮।
ଭାରତ ମାତାର ସୁଯୋଗ୍ୟ ସନ୍ତାନ
ସାର୍ଥକ ସତ୍ୟାର୍ଥୀ ନାମ ।
ଦେଶବାସୀ ପାଇଁ ଗୌରବ ଆଣିଲ
ଆଧାରେ ମାନବ ଧର୍ମ ।୯।
ଶାନ୍ତି ସଂଗ୍ରାମରେ ବିଜୟୀ ସୈନିକ
ନୋବେଲ ମୁକୁଟ ଧାରୀ ।
ଚିରକାଳ ପାଇଁ ଯଶ ଅରଜିଲ
ଧନ୍ୟ ଶାନ୍ତି ପଥଚାରୀ ।୧୦।