ସେଇ ମଧୁର ଲଗ୍ନେ
ସେଇ ମଧୁର ଲଗ୍ନେ
ସେଇ ମଧୁର ଲଗ୍ନେ
ଗଭୀର ମଗ୍ନେ
ଚାହିଁ ରହିଥିଲି ପ୍ରୀତି ନିମଗ୍ନେ
ପ୍ରେମ ପ୍ରସୂନ ସାଥେ
ନିବିଷ୍ଟ ଚିତ୍ତେ
ବସିଥିଲା ପ୍ରିୟା ଅତି ସଂଲଗ୍ନେ ।
ଘନ କୁନ୍ତଳ ରାଶି
ମଳୟେ ହସି
ଛୁଇଁ ଯାଉଥିଲେ ମୋତେ ଉଲ୍ଲସି
ଭାବ ଜଳଧି ତୀରେ
ଦ୍ରୁତ ବେଗରେ
ପ୍ରେମ ଉର୍ମିମାଳା ନାଚେ ହରସ ।
କଥା ଅନେକ ବାକି
ଅଧରେ ଲାଖି
ମଧୁ କାହାଣୀର ରହିଲା ସାକ୍ଷୀ
ତିଳେ ନକହି କିଛି
ଅନେକ କିଛି
କଥା କବିତାରେ ଦିଏ ମୁଁ ଲେଖି ।
ଦେହ ନାମକୁ ଦୁଇ
ଅଦୁରେ ଥାଇ
ଦୁହେଁ ଦୁହିଁଙ୍କର ହୁଅନ୍ତି ଛାଇ
ଧୀରେ ସଞ୍ଚରି ଯାଏ
ଆତ୍ମାକୁ ଛୁଏଁ
ପ୍ରୀତି ଶିହରଣ ରୋମାଞ୍ଚ ନେଇ ।
ହଜି ଯାଏ ଚେତନା
ପ୍ରେମ ସରେନା
ଦୁଇ ହୃଦେ ବହେ ଗଙ୍ଗା ଯମୁନା
ଲଙ୍ଘି ଅଲଂଘ୍ୟ ପଥ
ଦୁଇଟି ଚିତ୍ତ
ସଙ୍ଗମ ଉଲ୍ଲାସେ ତେଜି ଠିକଣା ।