ସେ ଦିନର ଶ୍ରବଣ
ସେ ଦିନର ଶ୍ରବଣ
ତ୍ରେତୟା ଯୁଗର ସତ୍ୟ କଥା ଇଏ
ଏବେ ତ କାହାଣୀ ଟିଏ,
ପିତା ମାତା ସବୁ ନିଜ ସନ୍ତାନ କୁ
ଭାବନ୍ତି ଶ୍ରବଣ ସିଏ ।
ଅନ୍ଧ ଦମ୍ପତିଙ୍କ ଏକୋଇର ବଳା
ନାମ ଶ୍ରବଣ କୁମାର,
ପିତାମାତାଙ୍କର ସେବାରେ ଜୀବନ
କାଟୁଥିଲା ନିରନ୍ତର ।
ପିତା ମାତା ତାଙ୍କ ଅନ୍ଧ ହୋଇଲେ ବି
ତପସ୍ୟାରେ ଥିଲେ ରତ,
ଅନ୍ଧ ମୁନୀ ଭାବେ ଥିଲା ପରିଚୟ
ବିଭୂ ପୂଜା ଥିଲା ବ୍ରତ ।
ପିତାମାତାଙ୍କର ଇଚ୍ଛାରେ ଶ୍ରବଣ
ତୀର୍ଥପାଇଁ ବାହାରିଲା,
ଭାର କରି ନିଜ ପିତା ମାତାଙ୍କୁ ସେ
କାନ୍ଧେ ବୋହି ଚାଲିଥିଲା ।
ଗହନ ଅରଣ୍ୟେ ଶୋଷ ଲାଗିବାରୁ
ପିତାମାତା ବ୍ୟସ୍ତ ହେଲେ,
ଭାର ରଖିତଳେ ଜଳ ଆଣିବାକୁ
ଶ୍ରବଣ ନଦୀକୁ ଗଲେ ।
ଏହି ସମୟରେ ଅଯୋଧ୍ୟା ନରେଶ
ନାମ ଅଟେ ଦଶରଥ,
ମୃଗୟା ବିନୋଦେ ଯାଇ ବୁଲୁଥିଲେ
ହୋଇ ଭଗ୍ନ ମନୋରଥ ।
ଏ କାଳେ ନଦୀରେ କଳ କଳ ଧ୍ୱନୀ
ରାଜନ କର୍ଣ୍ଣେ ଶୁଣିଲେ,
ମୃଗ ଭାବି ମନେ ଶବ୍ଦ ଭେଦି ବାଣ
ଶ୍ରବଣକୁ ବିନ୍ଧିଦେଲେ ।
ନଦୀକୂଳେ ଯାଇ ଦେଖିଲେ ନରେଶ
ମୃଗ ନୁହେଁ ସେ ଶ୍ରବଣ,
ନିଜ କର୍ମେ ନିନ୍ଦି ଶ୍ରବଣକୁ ଘେନି
ଆଣିଲେ ଶୀଘ୍ର ବୋହିଣ ।
ଶ୍ରବଣକୁ ହାରି ଅନ୍ଧ ପିତାମାତା
ହୋଇଥିଲେ ଆଶ୍ରା ହୀନ,
ରାଜା ଦଶରଥେ ଦେଲେ ଅଭିଶାପ
ପୁତ୍ର ବିଚ୍ଛେଦ ଜୀବନ ।
ସେଥିପାଇଁ ପ୍ରଭୁ ରାମଚନ୍ଦ୍ର ପରା
ଯାଇଥିଲେ ବନବାସ,
ପୁତ୍ରେ ଝୁରି ଝୁରି ରାଜା ଦଶରଥ
ଛାଡିଲେ ଶେଷ ନିଶ୍ୱାସ ।
ପିତୃମାତୃ ଭକ୍ତି ପାଇଁ ଶ୍ରବଣ ଯେ
ପୁରାଣେ କାହାଣୀ ହେଲା,
ପିତୃ ସତ୍ୟ ପାଳି ପ୍ରଭୁ ରାମଙ୍କର
ରାମାୟଣ ଲେଖା ହେଲା ।
