ସଦୟ ହେବ ମହାବାହୁ
ସଦୟ ହେବ ମହାବାହୁ
ପୂଣ୍ୟ ଖୋଜିହେଲେ ପାପ ମିଳେ ଏଠି
ଭଲ ଖୋଜିହେଲେ ଭୁଲ ମିଳଇ
ଏମିତି ଦୁନିଆ ଦେଖାଇଲୁ ମୋତେ
ମିଛ ଭିନ୍ନ ସତ ଟିକିଏ ନାହିଁ I
ତାହେଲେ କାହିଁକି ହିସାବ କରିବି
କେତେ ପାପ କଲି କେତେ ବା ପୂଣ୍ୟ
ସତ ମିଛ ଯେବେ ହିସାବ କରୁଛି
ଶେଷରେ କେବଳ ମିଳୁଛି ଶୂନ୍ୟ I
ଶରୀରରେ ମୋର ପାପ ପଙ୍କ ସବୁ
ବୋଳି ହେଉଛି ମୁଁ ଜୀବନ ସାରା
କଥା କହିଲେ ମୁଁ ମିଛ ହିଁ କହୁଛି
ସତ ମୋ ତୁଣ୍ଡରେ ଦେଉନି ଧରା I
କପଟଛନ୍ଦରେ ମନ ମୋ ଭରିଛି
ଭଲ କଥା କିଛି ଶୁଣିନି କାନେ
ଏ ମାୟା ସଂସାର ବାଇଆ କରିଛି
ତୁମ ନାମ ତୁଣ୍ଡେ ଧରିନି ଦିନେ I
ଭଜନ କୀର୍ତ୍ତନ ସବୁ ପ୍ରହସନ
ତୁମ ନାମେ ଏଠି ଚାଲେ ବେପାର
ଏ କି ଲୀଳା ଖେଳା ଲଗାଇଛ ତୁମେ
କହିଦିଅ ଥରେ ହେ ମାୟାଧର I
ଏ ଘୋର କଳିରେ ନାମ ଏକା ସାର
ନାମର ଶକତି ଅବର୍ଣ୍ଣନୀୟ
ତୁମ ନାମଧରି ଯିବି ମୁହିଁ ତରି
ତୁମେ ଯଦି ଟିକେ ହେବ ସଦୟ I
