ସଦଗୁରୁ
ସଦଗୁରୁ
ବ୍ୟାସ ଦେବଙ୍କୁ ନମଇ ହେ ବିଷ୍ଣୁ ସ୍ୱରୂପ ।
ବିଷ୍ଣୁ ଭକତି ଜନମେ ଦେଖି ତୁମ ରୂପ ।୧।
ମହାଭାରତ ଜ୍ଞାନାଗ୍ନି କଲ ପ୍ରଜ୍ଜ୍ଵଳିତ ।
ବ୍ରହ୍ମନିଧି ତପୋଧନ ପୂର୍ଣ୍ଣ ବ୍ରହ୍ମ ସତ୍ୟ ।୨।
ବ୍ରହ୍ମା ବିଷ୍ଣୁ ମହେଶ ନିଜେ ହିଁ ସଦଗୁରୁ।
ଗୁରୁହିଁ ଅଟନ୍ତି ନିଜେ ପ୍ରେମ କଳ୍ପତରୁ ।୩।
ଅଜ୍ଞାନ ଅନ୍ଧକାରକୁ କରନ୍ତି ବିନାଶ ।
ଶିଷ୍ୟର ହୃଦୟେ ନିତ୍ୟ ତାଙ୍କର ନିବାସ ।୪।
ଧେନୁ ପଛେ ପଛେ ବତ୍ସା ଚଳି ଗଲା ପରି ।
ଶିଷ୍ୟର ସନ୍ତାପ ଗୁରୁ ହରନ୍ତି ସେପରି ।୫।
ସୃଷ୍ଟି କର୍ତ୍ତା ବ୍ରହ୍ମା ହୋଇ ଶିଷ୍ୟ ହୃଦୟରେ ।
ନୂତନ ସୃଷ୍ଟି କରନ୍ତି ବିନାଶି ତିମିରେ ।୬।
ଭେଦ ଭାବ ନାଶ ହୋଇ ତୁଟଇ ସଂଶୟ ।
ଜ୍ଞାନ ବୈରାଗ୍ୟର ନିଶ୍ଚେ ହୁଏ ଅଭ୍ୟୁଦୟ ।୭।
ବିଷ୍ଣୁ ରୂପେ ଶିଷ୍ୟର ସେ କରନ୍ତି ପାଳନ ।
ଅଜ୍ଞାନ ନାଶନ୍ତି ତାକୁ ଦେଇ ଦିବ୍ୟ ଜ୍ଞାନ ।୮।
ସକଳ ମଙ୍ଗଳର ସେ ହୁଅଇ କାରଣ ।
ଗୁରୁଙ୍କ ଆଲୋକେ ଶିଷ୍ୟ ଆଲୋକିତ ଜାଣ।୯।
ଏକ ପ୍ରଦୀପରୁ କୋଟିଏ ପ୍ରଦୀପ ଜଳେ ।
ଏକ ଗୁରୁ ସେପରି କୋଟି ଶିଷ୍ୟଙ୍କୁ ପାଳେ।୧୦।
ମହେଶ ରୂପରେ ଗୁରୁ ଶିଷ୍ୟ ଅନ୍ତରର ।
ସମସ୍ତ ବିକାରମାନ କରନ୍ତି ସଂହାର ।୧୧।
ସୁବର୍ଣ୍ଣ ପୋଡିଲେ ଶୁଦ୍ଧ ହୁଅଇ ଅବଶ୍ୟ ।
ଜ୍ଞାନ ଦାନେ ସଦଗୁରୁ ସୁଧାରନ୍ତି ଶିଷ୍ୟ ।୧୨।
ବିନା ଗୁରୁରେ କେ ବିଦ୍ୟା ସିଦ୍ଧି ଲଭି ଅଛି?
ଗୁରୁଙ୍କ ପ୍ରସିଦ୍ଧି ବେଦ ପୁରାଣେ ରହିଛି ।୧୩।
ବେଦ ପୁରାଣର ଅର୍ଥ ଗୁରୁ ମୁଖ ବାଣୀ ।
ଗୁରୁ ମନ୍ତ୍ର ଜପ କରି ଭବୁ ତରେ ପ୍ରାଣୀ ।୧୪।
ଗୁରୁ ହୀନ ପ୍ରାଣୀ ହେବା ଉଚିତ ନୁହଇ ।
ବିନା ନାବେ ଭବ ସିନ୍ଧୁ ତରିଛି କି କେହି?୧୫।
ଗୁରୁଙ୍କ ମହିମା କିଏ ବଖାଣି ପାରିବ?
ଅଗଣିତ ବାଲୁକା ରାଶିକୁ କେ ଗଣିବ ?୧୬।
ମାନବ ପାଇଁକି ଗୁରୁ ଶିବ, ଦେବ, ବନ୍ଧୁ ।
ଆତ୍ମା, ଜୀବନ ହିଁ ଗୁରୁ ସେହି କୃପା ସିନ୍ଧୁ ।୧୭।
ଗୁରୁଙ୍କ ପାଶକୁ ଯାଇ ବିଧି ମୁତାବକ ।
ପ୍ରଣିପାତ କରି ସେବା କରିବ ଅନେକ ।୧୮।
ପ୍ରଶ୍ନ କରି ନ ବୁଝିବା କଥାକୁ ବୁଝିବ ।
ତେବେ ନିଶ୍ଚିତରେ ତତ୍ତ୍ଵ ଜ୍ଞାନକୁ ଲଭିବ।୧୯।
ରାମ, କୃଷ୍ଣ ଜନମିଲେ ଧରାରେ ଯେ କାଳେ ।
ବିଶ୍ୱାମିତ୍ର, ସାନ୍ଦିପନୀଙ୍କୁ ଗୁରୁ କରିଲେ ।୨୦।
ବିଦ୍ୟା ଦାନେ କେବଳ ଗୁରୁଙ୍କ ଅଧିକାର ।
ଗୁରୁଙ୍କ ଶରୀର ଅଟେ ପ୍ରଭୁଙ୍କ ଶରୀର ।୨୧।
ମୋ ନାଥ ଶ୍ରୀ ଜଗନ୍ନାଥ, ମୋହର ଯେ ଗୁରୁ ।
ସେ ଅଟନ୍ତି ଜଗଦ୍ଗୁରୁ ପ୍ରେମ କଳ୍ପତରୁ ।୨୨।
ସକଳ ଜୀବଙ୍କ ଆତ୍ମା ଅଟଇ ମୋ ଆତ୍ମା ।
ନମଇ ସଦା ମୁଁ ବିଶ୍ବଗୁରୁ ହେ ବିଶ୍ୱାତ୍ମା ।୨୩।
